କରୋନା ପାଇଁ ବନବାସ କାହାଣୀ: ରାମନବମୀରେ ପ୍ରଭୁ ରାମଙ୍କ ବନବାସ କଥା ବଖାଣିଲେ ବାଗଚୀ । କହିଲେ ମହାମାରୀ ମୁକାବିଲା ପାଇଁ ରାମଙ୍କ ୧୪ ବର୍ଷ ପରି ଆମକୁ ରହିବାକୁ ପଡିବ ୧୪ ଦିନ

1,250

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ କାହାଣୀ କହିଲେ ସୁବ୍ରତ ବାଗଚୀ । ବିଶ୍ୱ ମହାମାରୀର ମୁକାବିଲା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲା ବେଳେ ରାମଙ୍କ ବନବାସର ଗହନ କଥା କହିଲେ ବାଗଚୀ । ଦୁର୍ବାର ପରିସ୍ଥିତିରେ ଓ କଠିନ ସମୟରେ ଦୈନନ୍ଦୀନ ଜୀବନରୁ ଓହରିଯିବା, ଦୈନନ୍ଦୀନ ଶୈଳୀରେ ବିତୁଥିବା ସୁଖକୁ ତ୍ୟାଗ କରିବା ହିଁ ବନବାସ । ଅଜଣା, ଅଶୁଣା କଷ୍ଟସାଧ୍ୟ ଜୀବନକୁ ମାନି ନେବା ହିଁ ବନବାସ । ତେଣୁ ରାମଚନ୍ଦ୍ର ଯେମିତି ରାଜା ସୁଖ ଛାଡି ଭିକ୍ଷୁକ ହୋଇ ଭାଇ ଓ ପତ୍ନୀଙ୍କ ସଙ୍ଗେ ୧୪ ବର୍ଷ ବନବାସ ଯାଇଥିଲେ ଠିକ ସେମିତି ଏଭଳି ସଙ୍କଟ ସମୟରେ ଆମେ ବି ୧୪ ଦିନ ବନବାସରେ ରହିବା ଅର୍ଥାତ ଘରେ ରହିବା ଦରକାର ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ତେବେ କଠିନ ପରିସ୍ଥିତି କଣ ? ଏହାକୁ ବୁଝାଇବାକୁ ଯାଇ ବାଗଚୀ ଗାଁ ଗହଳିରେ ପ୍ରଚଳିତ ଢଗଢମାଳି ଗାଇବା ସହ ପୁରାଣର କଥା ବି ବର୍ଣ୍ଣନା କରିଛନ୍ତି । ଯଥା ଦେହେ, ତଥା ଦେବେ… ଅର୍ଥାତ ମର୍ତ୍ତ୍ୟମଣ୍ଡଳରେ ଯେବେଯେବେ ଭଗବାନ ମଣିଷ ରୂପରେ ଆବିର୍ଭୂତ ହୋଇଛନ୍ତି । ସେ ମଣିଷ ଭଳି ଦୁଃଖ, କଷ୍ଟ ସହିଛନ୍ତି । ଗାଁରେ ଏକ ଢଗ ପ୍ରଚଳିକ ହୁଏ, ‘ଅଖ ପଡିଥିଲେ ଚକ ଘୁରୁଥାଏ ବୁଲି ପଡୁଥାଏ ମଇଁ, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି…’ । ଭଗବାନ ରାମଙ୍କୁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା, ୧୪ ବର୍ଷ ବନବାସ ଯିବାକୁ ପଡିଥିଲା । ତେଣୁ ରାମଙ୍କ ପରି ଆମେ ବି ୧୪ ଦିନ ଘରେ ରହିବା । ଭଗବାନଙ୍କୁ ଶକ୍ତି, ସାହସ ମାଗିବା ବୋଲି ସୁବ୍ରତ ଅନୁରୋଧ କରିଛନ୍ତି ।

ସେପଟେ କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ଭଗବାନଙ୍କ ବିଭିନ୍ନ କାହାଣୀ କହି ସଚେତନ କରୁଥିବା ବେଳେ ଗତ କିଛି ଦିନ ତଳେ କ୍ୱାରେଣ୍ଟାଇନ କଥା କହିବାକୁ ଶ୍ରୀଜଗନ୍ନାଥଙ୍କ ଅଣସର କାହାଣୀ କହିଥିଲେ ସୁବ୍ରତ । ସ୍ନାନଯାତ୍ରା ଏବଂ ଜଗନ୍ନାଥଙ୍କ ୧୪ ଦିନିଆ ଅଣସର କଥା କହି ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଥିଲେ । ଆଉ ଆଜି ପ୍ରଭୁ ଶ୍ରୀରାମଙ୍କ ୧୪ ବର୍ଷର ବନବାସ କଥା କହିଛନ୍ତି ସୁବ୍ରତ ବାଗଚୀ ।