କାଲି ଘଣ୍ଟାଏ ବନ୍ଦ ରହିବ ୧୦୪ ନମ୍ବର । ସକାଳ ୬ରୁ ୭ଟା ଯାଏଁ ହେଲ୍ପଲାଇନ ନମ୍ବର ବନ୍ଦ କରାଯିବ । କରୋନା ମୁକାବିଲା ନେଇ ୨୪ ଘଣ୍ଟିଆ ରିପୋର୍ଟ ଦେଲା ବେଳେ ସୁବ୍ରତ ବାଗଚୀଙ୍କ ସୂଚନା

3,773

କନକ ବ୍ୟୁରୋ: ଓଡିଶା କରୁଛି କରୋନା ମୁକାବିଲା । ଓଡିଶାରେ ଏଯାଏଁ ୩ଟି ପଜିଟିଭ ବାହାରିଥିବା ବେଳେ ସତର୍କ ଏବଂ ସଚେତନତା ପାଇଁ ରାଜ୍ୟ ସରକାର ସବୁ ଦିଗରୁ ଉଦ୍ୟମ ଚଳାଇଛନ୍ତି । ତେବେ ଲକଡାଉନ ସମୟରେ ଘରୁ ନବାହାରିବା ପାଇଁ ସରକାର ବାରମ୍ବାର ପରାମର୍ଶ ଦେଉଥିବା ବେଳେ ଲୋକଙ୍କ କୌଣସି ଅସୁବିଧା ନହେବାକୁ ବଡ ବଡ ଘୋଷଣା କରିଛନ୍ତି ସରକାର । ତେବେ କରୋନା ନେଇ ଆଜି ସୁବ୍ରତ ବାଗଚୀ ୩ୟ ଆକ୍ରାନ୍ତଙ୍କ କଥା କହିଛନ୍ତି । ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ରାଜ୍ୟର ୩ୟ କରୋନା ଆକ୍ରାନ୍ତ ବ୍ୟକ୍ତି । ତେବେ ଓଡିଶାରେ ୨୫୬ଟି ନମୂନା ପରୀକ୍ଷା ପାଇଁ ଯାଇଥିଲା । ସେଥିରୁ ସେହି ୩ ଜଣ ପଜିଟିଭ ଅଛନ୍ତି । ୩ୟ ଆକ୍ରାନ୍ତଙ୍କ ଅବସ୍ଥା ଉନ୍ନତୀ ଆସୁଛି । ଅନ୍ୟ ୨ ଜଣ ସ୍ୱାଭାବିକ ଅଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୬ ଜଣଙ୍କୁ ଏକାନ୍ତବାସରେ ରଖାଯାଇଛି ।

ସେପଟେ କୋଭିଡ-୧୯ ପୋର୍ଟାଲରେ ମୋଟ ୭୦୮୦ ଜଣ ପଞ୍ଜୀକରଣ କରିଛନ୍ତି । ୪୨୮୬ ଜଣ ବିଦେଶରୁ ଫେରି ପଞ୍ଜୀକରଣ କରିଥିବା ବେଳେ ୨୭୯୪ ଜଣ ବାହାର ରାଜ୍ୟରୁ ଆସି ପଞ୍ଜୀକରଣ କରିଛନ୍ତି । ତେବେ ଆସନ୍ତାକାଲି ୧୦୪ ହେଲ୍ପଲାଇନ ନମ୍ବର ଘଣ୍ଟାଏ ପାଇଁ ବନ୍ଦ ରହିବ । ହେଲ୍ପଲାଇନ ନମ୍ବରର ଉନ୍ନତୀକରଣ ପାଇଁ ଏହାକୁ ସକାଳ ୬ରୁ ୭ଟା ଯାଏଁ ୧୦୪କୁ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ ।

ତେବେ ରାଜ୍ୟ ବାହାରେ ରହିଥିବା ଓଡିଆଙ୍କ ସମସ୍ୟା ଜାଣିବାକୁ ହେଲ୍ପଲାଇନ ନମ୍ବର ୦୬୭୪ ୨୩୯୨୧୧୫ ଏବଂ ହ୍ୱାଟ୍ସଆପ ନମ୍ବର- ୯୪୩୮୯୧୫୯୮୬ । ବାହାରେ ଥିବା ଲୋକଙ୍କୁ ସବୁ ପ୍ରକାର ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ଦକ୍ଷିଣ କୋରିଆର ପେସେଣ୍ଟ-୩୧ର ଉଦାହରଣ ଦେଇ ସୁବ୍ରତ ଓଡିଶାର ୩ୟ ଆକ୍ରାନ୍ତ ବ୍ୟକ୍ତିଙ୍କ କଥା କହିଛନ୍ତି । ସେ ମାଟ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ବିମାନରେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଘରେ ଝିଅ, ସ୍ତ୍ରୀ, ଡ୍ରାଇଭର ଏବଂ ୩ ସହାୟିକାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ବ୍ୟାଙ୍କରେ ୪୪ ଜଣ, ବିଧାନସଭାରେ ୭ ଜଣ, ଚିକିତ୍ସିତ ହେଉଥିବା କ୍ଲିନିକରେ ୨୧ ଜଣ ଏବଂ ରକ୍ତ ପରୀକ୍ଷା କରାଇଥିବା ପାଥୋଲାବରେ ୩ ଜଣଙ୍କ ସହ ସଂସ୍ପର୍ଶରେ ଆକ୍ରାନ୍ତ ବ୍ୟକ୍ତି ଆସିଥିବା ସ୍ପଷ୍ଟ କରିଛନ୍ତି ସୁବ୍ରତ ।

ତେବେ ଆକ୍ରାନ୍ତଙ୍କ ସହ ସମ୍ପର୍କରେ ଆସିଥିବା ୧୧୨ ଜଣଙ୍କ ସହ ଯୋଗାଯୋଗ ହୋଇଛି । ମାତ୍ର ୧୫ ଜଣଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିବା ୧୧୨ ମଧ୍ୟରୁ ୧୧ ଜଣଙ୍କ ନମୂନା ପରୀକ୍ଷା ପଠାଯାଇଛି । ଗତକାଲି ଜଣଙ୍କର ନମୂନା ନେଗେଟିଭ ଆସିଥିବା ବେଳେ ଅନ୍ୟ ୧୦ଟିର ରିପୋର୍ଟ ଆସିନାହିଁ ।