ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳାହାଣ୍ଡିର ଅନ୍ୟ ୩ ଜଣ ଭୁବନେଶ୍ୱର ଝାରପଡା ଅଞ୍ଚଳର । ରାଜ୍ୟରେ ପ୍ରଥମ ଥର ପାଇଁ ୨ ଶିଶୁଙ୍କ ଦେହରେ କରୋନା ଭୂତାଣୁ

1,480

କନକ ବ୍ୟୁରୋ: ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲେ ସରକାର । ତେବେ ୪୫ ନମ୍ବର ଆକ୍ରାନ୍ତ କଳାହାଣ୍ଡି ଗୋଲାମୁଣ୍ଡା ଅଞ୍ଚଳର ୨୦ ବର୍ଷର ଯୁବକ । ସେ କଳାହାଣ୍ଡିରେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ମାର୍ଚ୍ଚ ୨୦ ଏବଂ ୨୧ ତାରିଖରେ ବେହେରାଗୁଡା ଗାଁର ସାଙ୍ଗଙ୍କ ସହ ଦେଖା କରିଥିଲେ । ୨୨ରୁ ୨୪ ତାରିଖ ଯାଏଁ ଘରେ ରହିଥିଲେ । ଏବଂ ୨୫ ତାରିଖରେ ଗାଣ ପାଖ ଏକ ଗ୍ରୋସରୀ ଦୋକାନକୁ ଯାଇଥିଲେ । ତେବେ ୨୬ରୁ ଏପ୍ରିଲ ୩ ଯାଏଁ ସେ ଘରୁ କେଉଁଆଡେ ଗୋଡ କାଢି ନଥିଲେ ।

ମାତ୍ର ୪ ତାରିଖ ଦିନ ବାହାରିନରୁ ଫେରିଥିବା ସେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ଏପ୍ରିଲ ୫ ତାରିଖରେ ସେ କ୍ୱାରେଣ୍ଟାଇନରେ ରହିଥିଲେ ଏବଂ ୧୦ ତାରିଖରେ ଅର୍ଥା ଆଜି ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ୱରର ବୋଲି ସ୍ପଷ୍ଟ ହୋଇଛି । ସମସ୍ତେ ଝାରପଡା ଅଞ୍ଚଳର । ୩ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୭ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ଦଣ କୁନି ଝିଅ । ସବୁଠାରୁ ବଡ କଥା ହେଲା ରାଜ୍ୟରେ ପ୍ରଥମ ଥର ପାଇଁ ଶିଶୁଙ୍କ ଦେହରେ କରୋନା ପଜିଟିଭ ଚିହ୍ନ ହୋଇଛି । ଦୁଇ ଶିଶୁଙ୍କ ମଧ୍ୟରେ ଜଣଙ୍କର ବୟସ ୫ ବର୍ଷ ଥିବା ବେଳେ ଅନ୍ୟ ଜଣଙ୍କର ବୟସ ୯ ବର୍ଷ ଥିବା ସୂଚନା ମିଳିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଝାରପଡା ଅଞ୍ଚଳର ଏହି ୩ ଆକ୍ରାନ୍ତ ୪୨ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ସ୍ପଷ୍ଟ ହୋଇଛି ।