ଟିକିଏ ସଚେତନ ହେଲେ ହାରିବ କରୋନା : ସଫଳ ମୁକାବିଲା ପାଇଁ ସରକାର ସଜାଗ । ସରକାରଙ୍କ ନିଷ୍ପତିକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଅତ୍ୟାବଶ୍ୟକ ନଥିଲେ ଘରୁ ନବାହାରିବାକୁ ନିବେଦନ ।

739

କନକ ବ୍ୟୁରୋ: ଯେତେବେଳେ ‘କରୋନା’ ଭାଇରସ୍ ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରି ସାମସ୍କୁ ଆସିଛି ସେତେବେଳେ ଏହି ‘ବିଶ୍ୱ ମହାମାରୀ’କୁ ହରାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ନୂଆ ନୂଆ ପଦକ୍ଷେପ ଆପଣାଇ ସାଢ଼େ ଚାରିକୋଟି ଓଡ଼ିଶାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହି ମର୍ମରେ ରାଜ୍ୟ ସରକାର ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ୫ଟି ଜିଲ୍ଲା ସହ ୮ଟି ସହରର ଲକ୍ ଡାଉନ୍ କରିବାକୁ ନିଷ୍ପତି ନେଇଛନ୍ତି । ଏହାକୁ ସଫଳ କରି ସଂକ୍ରମଣକୁ ନପସାଇ ଦେବାପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଆହ୍ୱନ ଦେଇ କହିଛନ୍ତି କି, ଗତ ୨ ମାସରେ ଦୁନିଆ ବଦଳି ଯାଇଛି । ରାଜନୀତି, ଅର୍ଥନୀତି ସବୁ ପଛରେ ପକାଇ ସ୍ୱାସ୍ଥ୍ୟ ସମସ୍ୟା ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ଆମେରିକା, ବ୍ରିଟେନ୍ ଭଳି ଅନ୍ୟ ୟୁରୋପୀୟ ଦେଶରେ କୋରାନା ଭୁତାଣୁ ଆତଙ୍କ ଖେଳାଇଛି । ଏହାକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର ତେଣୁ ଜନତାଙ୍କ ସମର୍ଥନ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅତି ଜରୁରୀ ନହେଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ଆଗାମୀ ସପ୍ତାହ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ । ଏପରିକି ଘରେ ରହିଲେ ହିଁ ଆପଣଙ୍କ ସହ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବ । ତେଣୁ ରାଜ୍ୟାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଏହାକୁ ସତର୍କତା ସହ ପାଳନ କରିବାକୁ ନିବେଦନ କରିଛନ୍ତି । କାରଣ ଘରୁ ନବାହାରିଲେ ଏହାର ସଂକ୍ରମଣତାକୁ ରୋଗାଯାଇ ପାରିବ ।