କନକ ବ୍ୟୁରୋ: କରୋନାର କଠୋର କଟକଣା ହଜାଇ ଦେଇଛି ମାନବିକତା, ମାରିଦେଇଛି ମଣିଷ ପଣିଆ । କେଉଁଠି ମାଆକୁ ଝିଅ ପର କରିଦେଇଛି ତ ପୁଣି କେଉଁଠି ଛାତିକୁ ପଥର କରି ମମତାକୁ ଭୁଲି ଝିଅକୁ ଦୂରେଇ ଦେଇଛି ଜନ୍ମକଲା ମାଆ । କରୋନା ଠାରୁ ବିଜୟ ହାସଲ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହେଲେ ଏହାରି ଭତରେ ଏମିତି କିଛି ଖବର ସାମ୍ନାକୁ ଆସୁଛି, ଯାହାକୁ ଦେଖିଲେ ଲାଗୁଛି ଭୂତାଣୁ ସଂକ୍ରମଣ ଭୟରେ ଲକଡାଉନ୍ ଯୋଗୁଁ ମଣିଷ ପଣିଆରେ ବି ତାଲା ପଡିଯାଇଛି । ନିକଟରେ ଭୁବନେଶ୍ୱରର ଦୁଇଟି ଡାକ୍ତରଖାନା ଜଣେ ରୋଗୀଙ୍କୁ ଚିକିତ୍ସା ନକରିବାରୁ ରୋଗୀଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା, ଆଉ ଏବେ ଗଂଜାମ ଜିଲ୍ଲା ଭଂଜନଗରରୁ ଆସିଛି ମାଆକୁ ଝିଅ ପର କରିଦେବା ଭଳି ଖବର ।
ପକ୍ଷାଘାତରେ ପୀଡିତ ମାଆକୁ ନିଜ ଘରେ ରଖିଥିଲା ଝିଅ । ହେଲେ ମାଆର ସେବା କରିନପାରି ଚିକିତ୍ସା କରାଇବା ଆଳରେ ଡାକ୍ତରଖାନାକୁ ଆଣି ଗାମୁଣ୍ଡି ଗାଁ ମୁଣ୍ଡରେ ଛାଡ଼ି ଚାଲିଯାଇଛି ଝିଅ । ଏନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ, ରୋଗିଣା ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି । ପରେ ପ୍ରଶାସନ ପକ୍ଷରୁ ମହିଳାଙ୍କ ନାଁରେ ପକ୍କାଘର ଓ ଭତାର ପ୍ରତିଶ୍ରୁତି ମିଳିବା ପରେ ମାଆକୁ ପୁଣି ଘରକୁ ନେଇଛି ଝିଅ । ସେପଟେ ଝିଅକୁ ଛାଡି ଚାଲିଗଲା ମାନସିକ ବିକାରଗ୍ରସ୍ତ ମାଆ ।
ଭଂଜନଗର ସହରରେ ରହୁଥିବା ମହିଳା ଜଣଙ୍କ ମା ବ୍ୟାଘ୍ରଦେବୀ ମନ୍ଦିର ସାମ୍ନାରେ ଭିକ୍ଷାବୃତ କରି ଝିଅ ମୁହଁରେ ଆହାର ଦେଉଥିଲେ । ହେଲେ ତାଲା ବନ୍ଦ ଯୋଗୁଁ ମନ୍ଦିର ବନ୍ଦ ହୋଇଗଲା, ଭକ୍ତ ଆସୁନାହାନ୍ତି କି, ଖାଇବାକୁ ମିଳୁନାହିଁ । ନିଜେ ସିନା ଭୋକରେ ରହିଯବ ହେଲେ, ଝିଅର ଭୋକିଲା ମୁହଁକୁ ଦେଖି କୌଣସି ମାଆ କଣ ସହିପାରିବ । ଠିକ୍ ସେମିତି ଘଟିଛି ଏହି ମାନସିକ ବିକାରଗ୍ରସ୍ତ ମାଆର କ୍ଷେତ୍ରରେ । ଭୋକ ବିକଳରେ ମାଆ ମମତାକୁ ନିଜ ଭିତରେ ମାରି ନାବାଳିକା ଝିଅକୁ ଛାଡ଼ି କେଉଁ ଆଡ଼େ ଚାଲିଯାଇଛି । ପିଲାଟି ମାଆକୁ ନପାଇ କାନ୍ଦୁଥିବା ବେଳେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ଝିଅକୁ ଉଦ୍ଧାର କରି ନିଜ ଘରେ ରଖିଛନ୍ତି ।