ମାସ୍କ ବିନା ପେଟ୍ରୋଲ ମନା । ଯିଏ ମାସ୍କ ପିନ୍ଧିବନି, ତାକୁ ପେଟ୍ରୋଲ ମିଳିବନି… ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଲାଗୁ ହେଲା କଟକଣା । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ

476

କନକ ବ୍ୟୁରୋ: ମାସ୍କ ନାହିଁ ତ ପେଟ୍ରୋଲ ନାହିଁ । ବିନା ମାସ୍କରେ ମିଳିବନି ପେଟ୍ରୋଲ । ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଏହି ନିୟମ ଲାଗୁ । ଯଦି ଆପଣ ପେଟ୍ରୋଲ ପମ୍ପକୁ ମାସ୍କ ନପିନ୍ଧି ଯାଉଛନ୍ତି ତେବେ ଆପଣଙ୍କୁ ତେଲ ମିଳିବନି । ଯିଏ ନପିନ୍ଧିବ ତାକୁ ପେଟ୍ରୋଲ ଦିଆଯିବନି ବୋଲି ସ୍ପଷ୍ଟ କରିଛନ୍ତି ଉତ୍କଳ ପେଟ୍ରୋଲ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।

ତେବେ କରୋନା ମୁକାବିଲା ରାଜ୍ୟ ସରକାର ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ଏହାକୁ ସମର୍ଥନ କରି ପେଟ୍ରୋଲ ପମ୍ପରେ ମଧ୍ୟ ଏହି ନିୟମକୁ କଡାକଡି କରାଯାଇଛି । ପେଟ୍ରୋଲ ଦେଉଥିବା କର୍ମଚାରୀଙ୍କ ସୁରକ୍ଷା ସହ ଅନ୍ୟମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ମାସ୍କ ବିନା ପେଟ୍ରୋଲ ମନା ନୀତି ଆପନେଇଛି ପେଟ୍ରୋଲ ପମ୍ପ ଆସୋସିଏସନ ।

ସେପଟେ ଆଜିଠାରୁ ସାରା ଓଡିଶାରେ କଡାକଡି ଭାବେ ଲାଗୁ ହୋଇଛି ମାସ୍କ ପିନ୍ଧା ନିୟମ । ଘରୁ ବାହାରକୁ ବାହାରିଲେ ସମସ୍ତେ ମାସ୍କ ବିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିନା ମାସ୍କରେ କେହି ପଦାକୁ ବାହାରି ପାରିବେନି ବୋଲି ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିୟମକୁ ଅଧିକ କଡାକଡି କରି ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ମାସ୍କ ନପିନ୍ଧିଲେ ଦେବାକୁ ପଡିବ ଫାଇନ । ବିନା ମାସ୍କରେ ଘରୁ ଗୋଡ କାଢିଲେ ନିୟମ ଉଲ୍ଲଙ୍ଘନକାରୀ ଗଣିବେ ତଣ୍ଡ । ମାସ୍କ ବ୍ୟବହାର ନକରିବା ଏକ ଦଣ୍ଡ ହୋଇଥିବାରୁ ଆଜିଠାରୁ ସର୍ବସାଧାରଣରେ ମାସ୍କ ନପିନ୍ଧିଲେ ଲାଗିବ ଜରିମାନା ।

ତେବେ ପ୍ରଥମ ୩ଟି ଭୁଲ କଲେ ବା ବିନା ମାସ୍କର ମାମଲା ହେଲେ ୨୦୦ ଟଙ୍କା ଲେଖାଏଁ ଫାଇନ୍ ପଡିବ । ଯଦି କେହି ୩ଟି ଭୁଲ ବା ମାମଲା ପରେ ପୁଣି ବିନା ମାସ୍କରେ ବାହାରକୁ ବାହାରନ୍ତି ତାଙ୍କ ଉପରେ ୫୦୦ ଟଙ୍କା ଫାଇନ୍ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।