ଡ୍ୟୁଟି ମୋ ପୁଅ ପରି… ଘରେ ମୋର ୨ ମାସର ଛୁଆ କୁଆଁକୁଆଁ କାନ୍ଦୁଛି… ସ୍ନେହ ମମତାକୁ ଚାପି ମୁଁ ସେବା କରୁଛି… ସଙ୍କଟ ସମୟରେ କଅଁଳା ଶିଶୁକୁ ଘରେ ଛାଡି ରାସ୍ତାରେ ଡ୍ୟୁଟି କରୁଛି ପୋଲିସ ମାଆ । ଦେଖନ୍ତୁ, ସେବାର ସାକ୍ଷାତ ଦେବୀଙ୍କୁ…

ମାଆ କ୍ଷୀର ଖାଇବା ବୟସରେ ନିଜ କୁନି ପୁଅକୁ ପପୁ ବୋତଲ ଧରାଇ ଡ୍ୟୁଟି କରିବାକୁ ଦୌଡି ଆସିଛନ୍ତି ସେବା-ମମତା ମଝିରେ ସେତୁଟିଏ ହୋଇ ଛିଡା ହୋଇଥିବା ସୁରମା ବେହେରା ।

976

କନକ ବ୍ୟୁରୋ: ରାସ୍ତା ଉପରେ ମାଆ ଘର ଭିତରେ ଛୁଆ । ଦେଶସେବା ଆଗରେ ସବୁ କିଛି ପଛ । କରୋନା ସହ ଲଢିବାକୁ ରାସ୍ତାକୁ ବାହାରି ଆସିଛନ୍ତି ଏ ମହିଳା ପୋଲିସ । ମହାମାରୀର ମୁକାବିଲା ପାଇଁ ନିଜକୁ ଯୋଦ୍ଧା ସଜାଇ ଏ ମହାଯୁଦ୍ଧରେ ସାମିଲ ହେବାକୁ ଘରୁ ଗୋଡ କାଢିଛନ୍ତି । ଦେଶର ସଙ୍କଟ ସମୟରେ ନିଜର ସବୁ ଶ୍ରମ ଦେଇ ପରିସ୍ଥିତିର ସାମ୍ନା କରିବାକୁ ସଙ୍କଳ୍ପ ନେଇଥିବା ଏ ହୋମଗାର୍ଡ ଜଣଙ୍କ ଡହଡହ ଖରାରେ ଲୋକଙ୍କୁ ସତର୍କ କରାଇ ସମସ୍ତଙ୍କ ହୃଦୟ ଜିଣିଛନ୍ତି । କାରଣ ଏ ଖାକି ବର୍ଦ୍ଦି ତଳେ ରହିଛି ଗୋଟେ ମାଆର ମନ । ସାମୁହିକ ସ୍ୱାର୍ଥ ଆଗରେ ବ୍ୟକ୍ତିଗତ ସ୍ୱାର୍ଥକୁ ତୁଚ୍ଛ କରି ନିଜ ଦୁଇ ମାସର ଛୁଆକୁ ଘରେ ଛାଡି କର୍ତ୍ତବ୍ୟ କରିବାକୁ ଆଗେଇ ଆସିଛନ୍ତି ସେବାର ଏ ସାକ୍ଷାତ ଦେବୀ…

ସୁରମା ବେହେରା । କେନ୍ଦୁଝର ବଡଶାଳ ଅଞ୍ଚଳର ରହୁଥିବା ଜଣେ ମହିଳା ପୋଲିସ । କରୋନା ମୁକାବିଲା ପାଇଁ ପୂରା ପୋଲିସ ଟିମ ଯେତେବେଳେ ରାସ୍ତା ଉପରକୁ ବାହାରି ଆସିଛି ସେତେବେଳେ ନିଜ ୨ ମାସର କଅଁଳା ଶିଶୁକୁ ଘରେ ଛାଡି ସେବା କରିବାକୁ ଆଗେଇ ଆସିଛନ୍ତି ସୁରମା । ମାଆ କ୍ଷୀର ଖାଇବା ବୟସରେ ନିଜ କୁନି ପୁଅକୁ ପପୁ ବୋତଲ ଧରାଇ ଡ୍ୟୁଟି କରିବାକୁ ଦୌଡି ଆସିଛନ୍ତି ସେବା-ମମତା ମଝିରେ ସେତୁଟିଏ ହୋଇ ଛିଡା ହୋଇଥିବା ସୁରମା ବେହେରା ।

ସୁରମା ଚାହିଁଥିଲେ ନିଜ ପିଲା ପାଇଁ ସରକାରଙ୍କ ନିୟମାନୁସାରେ ଛୁଟିରେ ରହିପାରି ଥାନ୍ତେ ମାତ୍ର ଦେଶର ସଙ୍କଟ ସମୟରେ ସ୍ନେହ ଠାରୁ ଛୁଟି ନେଇ, ମମତାର ବନ୍ଧନରୁ ସମୟ ମୁକୁଳାଇ ସମାଜ ପାଇଁ ଆଗେଇ ଆସିଛନ୍ତି ସୁରମା । ଡ୍ୟୁଟି ଆସିବା ପରେ ତାଙ୍କ ଗେହ୍ଲା ପୁଅର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତି ତାଙ୍କ ସ୍ୱାମୀ । ମହାମାରୀ ମୁକାବିଲା ପାଇଁ ନିଜ ପୋଲିସ ମାଆ ଯୋଦ୍ଧା ସାଜିଥିବାରୁ କୁନି ପୁଅ ଦିନସାରା ତା ବାପା କୋଳରେ ରହେ । ତେବେ ସେବା ପାଇଁ ନିଜ ଛୁଆଠୁ ଦୂରେଇ ରାସ୍ତାରେ କର୍ତ୍ତବ୍ୟ କରୁଥିବା ଏ ମହିଳା ପୋଲିସଙ୍କୁ ସାରା ଓଡିଶା ସଲାମ କରୁଛି…

ସୁରମାଙ୍କ ପରି ଅନ୍ୟ ଜଣେ ପୋଲିସ କର୍ମଚାରୀ ହେଉଛନ୍ତି ଶାନ୍ତନୁ ଜେନା । ଯିଏ ନିଜ ୨୨ ଦିନର ପିଲାକୁ ବି ଭଲରେ ଦେଖି ନାହାନ୍ତି । ଡ୍ୟୁଟି ରହୁଥିବାରୁ ଘରେ ନବଜାତ ଶିଶୁକୁ ନେଇ ସ୍ତ୍ରୀ ଏକୁଟିଆ ରହୁଛନ୍ତି । କାମରୁ ଫୁରସତ ମିଳିଲେ ଶାନ୍ତନୁ ଯେବେ ଘରକୁ ଯାଆନ୍ତି ନିଜ ପିଲାକୁ ଭଲରେ ଧରିବି ପାରନ୍ତିନି କି ଗେହ୍ଲା ବି କରିପାରନ୍ତିନି କାରଣ ବାହାରେ ବୁଲୁଥିବାରୁ କାଳେ ଭୂତାଣ୍ୁ ତାଙ୍କ ଶିଶୁ ଦେହକୁ ସଂକ୍ରମିତ ହୋଇଯିବ ସେହି ଭୟରେ ନବଜାତ ଶିଶୁଠାରୁ ଦୂରେଇ ରୁହନ୍ତି ଏ ପୋଲିସ ବାପା ଜଣଙ୍କ ।

ତେବେ ଛାତି ତଳେ ସବୁ ସ୍ନେହ, ସବୁ ମମତାକୁ ଚାପି ଧରି ସେବା ପାଇଁ ଆଗେଇ ଆସୁଥିବା ସୁରମା, ଶାନ୍ତନୁଙ୍କ ପରି ଏ ସମାଜରେ ଅନେକ ପୋଲିସ କର୍ମୀ ଅଛନ୍ତି । ଯେଉଁମାନେ ସଲାମ ପାଇବାର ଶତ ହକଦାର…