ରାଜ୍ୟ ବାହାରୁ ଓଡିଶା ଫେରିଥିବା ୭୮, ୨୩୩ ଜଣଙ୍କ ଭିତରେ ଥାଇ ପାରନ୍ତି ସଂକ୍ରମିତ ? ସୁବ୍ରତ କହିଲେ ସଚେତନ ରୁହନ୍ତୁ, ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରଖନ୍ତୁ…

3,260

କନକ ବ୍ୟୁରୋ: ଓଡିଶା କରୁଛି କରୋନା ମୁକାବିଲା । କରୋନାର ପ୍ରତିରୋଧ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଭୂତାଣୁ ଯେମିତି ଅଧିକ ସଂକ୍ରମିତ ନହୁଏ ସେନେଇ ସାମାଜିକ ଦୂରତା ବଜାୟ ରଖିବାକୁ ସାରା ରାଜ୍ୟରେ ଲକ ଡାଉନ ଜାରି କରିଛନ୍ତି । ଲୋକଙ୍କ ଘରୁ ବାହରିବା ଉପରେ କଟକଣା ଲଗାଇଥିବା ବେଳେ ଅତ୍ୟାବଶ୍ୟକ କାମ ଛଡା ଅଯଥାରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।

ତେବେ ଲକଡାଉନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଓଡିଆ ନିଜ ଘରକୁ ଫେରିଛନ୍ତି । ରାଜ୍ୟ ବାହାରୁ ଓଡିଶାକୁ ମୋଟ ୭୮ ହଜାର ୨୩୩ ଜଣ ଫେରିଛନ୍ତି । ୩ଟି ଜିଲ୍ଲାରେ ପାଖାପାଖି ୫୦୦ ଲୋକ ଘରକୁ ଫେରିଛନ୍ତି । ବାକି ୨୭ ଜିଲ୍ଲାରେ ଏକ ହଜାରରୁ ୧୦ ହଜାର ଭିତରେ ଲୋକ ଘରକୁ ଫେରିଛନ୍ତି । ତେବେ ବାହାର ରାଜ୍ୟରୁ ଫେରିଥିବା ଏହି ବ୍ୟକ୍ତିଙ୍କ ମଧ୍ୟରୁ କିଛି ସଂକ୍ରମିତ ରାଜ୍ୟରୁ ଆସିଛନ୍ତି । ଫେରିଥିବା ୭୮ ହଜାରରୁ ଅଧିକ ବ୍ୟକ୍ତିଙ୍କ ଭିତରେ ଯେ କରୋନା ସଂକ୍ରମଣ କେହି ନଥିବେ ତାହା ଭୁଲ । ତେଣୁ ସେମାନେ ୧୪ ଦିନ ଯାଏଁ ପୃଥକବାସରେ ରୁହନ୍ତୁ, ପରିବାର ଠାରୁ ସଙ୍ଗରୋଧ କରନ୍ତୁ । ରାଜ୍ୟ ବାହାରୁ ଫେରିଥିବା ଲୋକେ ଯଦି ସଙ୍ଗରୋଧ କରୁନାହାନ୍ତି ତେବେ ଗ୍ରାମପଞ୍ଚାୟତ ଏବଂ ଜିଲ୍ଲା ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ବଳବତ୍ତର ରଖିବାକୁ କୁହାଯାଇଛି ।

ତେବେ ଓଡିଶାରେ ୧୩୩ଟି ନମୂନା ପରୀକ୍ଷା ହୋଇଛି । ସେଥିରୁ ୧୨୯ଟି ରିପୋର୍ଟ ନେଗେଟିଭ ଆସିଛି । ୪ଟିର ରିପୋର୍ଟ ଆସିନି, ଯେଉଁ ୨ ପଜିଟିଭି ଥିଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ହସ୍ପିଟାଲ ଆଇସୋଲେସନରେ ଅଛନ୍ତି ୩୬ ଜଣ । ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୫୭ ଜଣ । ୫୪ ଜଣଙ୍କ ସହ ଯୋଗାଯୋଗ ହୋଇଛି, ୩ ଜଣଙ୍କୁ ଖୋଜା ଚାଲିଛି । ତେବେ ପୋର୍ଟାଲରେ ବର୍ତ୍ତମାନ ସୁଦ୍ଧା ୪୦୧୫ ଜଣ ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ବିଦେଶରୁ ଫେରିଛନ୍ତି ବୋଲି ସୁବ୍ରତ ସୂଚନା ଦେଇଛନ୍ତି ।