କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ସରିଛି । ପ୍ରଥମ ୩ଟି ପର୍ଯ୍ୟାୟରେ ହିଂସାକାଣ୍ଡ ପରେ ଆଜି ୫ମ ପର୍ଯ୍ୟାୟରେ ନିଆଳି ଓ ଭଦ୍ରକରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଭଦ୍ରକରେ ବୁଥରେ ପଶି ବାଲାଟ ପେପର ଲୁଟ ହୋଇଥିବା ବେଳେ ନିଆଳିରେ ଏକାଧିକ ସ୍ଥାନରେ ଭୋଟ ବାକ୍ସ ଲୁଟ ସହ ସରକାରୀ ଅଧିକାରୀଙ୍କୁ ଲୋକେ ଅଟକ ରଖିଥିଲେ । ବ୍ରହ୍ମଗିରିରେ ନିର୍ବାଚନୀ ହିଂସାକାଣ୍ଡକୁ ନେଇ ଆଜି ପୁଣି ବୋମା ଫିଙ୍ଗିବା ପରି ଘଟଣା ଘଟିଛି ।
ଭଦ୍ରକରେ ମତଦାନ ବେଳେ ହିଂସାକାଣ୍ଡ । ବାଲାଟ ପେପର ଲୁଟିନେଲେ ପୁଲିଂ ଏଜେଣ୍ଟ । ଭଦ୍ରକ ଧାମନଗର ବ୍ଲକ କଟସାହି ପଞ୍ଚାୟତର ୧ ନମ୍ବର ବୁଥରେ ବୁଥ ରିଗିଂକୁ ନେଇ ଗଣ୍ଡଗୋଳ । ବୁଥ ରିଗିଂ ନେଇ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମାରପିଟ ହୋଇଛନ୍ତି । ଏପରିକି ଗୋଟିଏ ଗୋଷ୍ଠୀର ପୁଲିଂ ଏଜେଣ୍ଟ ଓ ତାଙ୍କ ସମର୍ଥକ ଭୋଟରଙ୍କୁ ମାଡମାରି ବାଲାଟ ପେପର ଲୁଟ କରିନେଇଯାଇଛନ୍ତି । ଫଳରେ ୧ ନମ୍ବର ବୁଥରେ ଅଧାରୁ ଭୋଟ ଗ୍ରହଣ ବନ୍ଦ ହୋଇଯାଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି ।
ସେପଟେ ଅର୍ଜୁନପୁର ପଞ୍ଚାୟତର ତରେଇସାହିର ୬ନମ୍ବର ଓ ୭ନମ୍ବର ବୁଥରେ ମତଦାନ ବେଳେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି । ପୁଲିସ ଉପସ୍ଥିତିରେ ବିଜେଡି-ବିଜେପି କର୍ମୀ ଠେଙ୍ଗାବାଡି ଧରି ପରସ୍ପରକୁ ଆକ୍ରମଣ କରିଛନ୍ତି । ପ୍ରଧାନୀ ପଞ୍ଚାୟତ ଦାସସାହି ବୁଥରେ ବିଜେଡି କର୍ମୀ ପଶି ବୁଥ ଜବରଦଖଲ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
କଟକ ଜିଲ୍ଲା ନିଆଳି ବ୍ଲକ ପୋଖରୀ ପଞ୍ଚାୟତର ବିଭିନ୍ନ ବୁଥରେ ବୁଥ ଜବରଦଖଲ ହୋଇଥିବା ଅଭିଯୋଗ ଆସିଛି । ପୋଖରୀ ପଞ୍ଚାୟତର ୧୩ଟି ବୁଥର ରାଜନୈତିକ ଦୁର୍ବୃତ ବୁଥରେ ପଶି ମାରପିଟ କରିବା ସହ ବାଲଟ ବକ୍ସକୁ ଛଡେଇ ନେଇ ପାଣିରେ ଫିଙ୍ଗି ଦେଇଛନ୍ତି । ଏହାକୁ ବିରୋଧ କରି ପୋଖରୀ ଗାଁ ଲୋକେ ରାସ୍ତାରୋକ କରିଥିଲେ । ଖବର ପାଇ ନିଆଳି ତହସିଲଦାର, ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଅଧିକାରୀମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ବହୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ଲୋକେ ହଟିଛନ୍ତି । ସେପଟେ ବିଳାଶୁଣୀ ପଞ୍ଚାୟତରେ ମଧ୍ୟ ବାଲାଟ୍ ବକ୍ସକୁ ଦୁର୍ବୃତ ପାଣିରେ ଫିଙ୍ଗି ଦେଇଛନ୍ତି ।
ବାଲଟ ଆଗରେ ମୁଣ୍ଡ ନୁଆଇଁଲା ବୁଲେଟ୍ । ମାଓବାଦୀଙ୍କ ଗଡରେ ଶାନ୍ତିଶୃଙ୍ଖଳାରେ ମତଦାନ । ମାଓବାଦୀଙ୍କ ଆତଙ୍କକୁ ବେଖାତିର କରି ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଲୋକେ ଗଣତନ୍ତ୍ର ମହାନପର୍ବ ନିର୍ବାଚନରେ ସାମିଲ ହୋଇଛନ୍ତି । ଗୁରୁପ୍ରୀୟା ସେତୁ ନିକଟ ହାଟଗୁଡା ମତଦାନ କେନ୍ଦ୍ରରେ ରାଲେଗଡା ପଞ୍ଚାୟତର ୧୨ଟି ବୁଥର ଭୋଟର ଭୋଟ ଦେଇଛନ୍ତି । ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ମତଦାନ କେନ୍ଦ୍ରରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । ପାଖରେ ମାଓବାଦୀଙ୍କ ଲାଲକୋଠା । ସେଇ ଲାଲକୋଠା ଚାରି ପଟେ ୧୨ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଛନ୍ତି ଶହ ଶହ ମତଦାତା ।
ଭୋଟ ଦେଲେ, ଭୋଟ ବାକ୍ସକୁ ମୁଣ୍ଡିଆ ମାରିଲେ । ଚର୍ଚ୍ଚାରେ ସାଂସଦ ପ୍ରମିଳା ବିଷୋୟୀଙ୍କ ମତଦାନ । ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ । ଆସିକା ବ୍ଲକର ଚେରମାଟିଆ ଗାଁର ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ସାଂସଦ । ଭୋଟ ଦେବା ପରେ ସାସଂଦ ଭୋଟ ବାକ୍ସକୁ ଆଣ୍ଠୁ ମାଡି ମୁଣ୍ଡିଆ ମାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।