ଅଲିମ୍ପିକ୍ସ ପଦକ ବିଜୟ ପଛରେ ଓଡ଼ିଶାର ହାତ । ସହଯୋଗ କରିଥିଲେ ରାଜ୍ୟ ସରକାର, ପଦକ ଜିତିଲା ଟିମ୍ ଇଣ୍ଡିଆ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ନରିନ୍ଦର ।

137

କନକ ବ୍ୟୁରୋ : ଅଲିମ୍ପିକ୍ସ ହକି ଖେଳାଳୀଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି । ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଓଡ଼ିଶାର ଭୂମିକାକୁ ପୂରା ଦେଶ ପ୍ରଂଶସା କରିଛି । ଆଉ ଆଜି ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ହକି ପ୍ରତି ଓଡ଼ିଶାର ଅବଦାନକୁ ମନେ ପକାଇବା ସହ ପ୍ରଂଶସାରେ ପୋତି ପକାଇଛନ୍ତି ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ।

ସମ୍ବର୍ଦ୍ଧନା ଉତ୍ସବରେ ନରିନ୍ଦର କହିଛନ୍ତି, ହକି ଖେଳାଳୀଙ୍କ ଦ୍ୱିତୀୟ ଘର ପାଲଟିଛି ଓଡ଼ିଶା । ଏପରିକି ଭାରତୀୟ ହକିର ଘର ପାଲଟି ସାରିଛି ଓଡ଼ିଶା । ଆଉ ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଅବଦାନ ରହିଛି । ହକିର ବିକାଶ ପାଇଁ ନବୀନ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଭିତ୍ତିଭୂମିକୁ ସୁଦୃଢ କରିବା ଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ନବୀନଙ୍କ ଭୂମିକା ଅତୁଳନୀୟ । ଅଲିମ୍ପିକ୍ସ ପୂର୍ବରୁ ଓଡ଼ିଶାରେ ବଡ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି, ଯାହା ଭାରତୀୟ ଟିମକୁ ବଳ ଦେଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା ସହଯୋଗରେ ଭାରତୀୟ ହକିର ଭାଗ୍ୟ ବଦଳିଛି । ଯେତେବେଳେ କ୍ରିକେଟ ପଛରେ ସମସ୍ତେ ପାଗଳ ଥିଲେ ସେତେବେଳେ ହକିକୁ ଆପଣାଇଥିଲା ଓଡ଼ିଶା । ହକିକୁ ନୂଆ ଜନ୍ମ ଦେଇଥିଲା ଓଡ଼ିଶା । ରାଜ୍ୟବାସୀଙ୍କ ଠାରୁ ଯେଉଁ ଭଲପାଇବା ମିଳିଥିଲା ତାହା ହକିଖେଳାଳୀଙ୍କ ମନୋବଳ ବଢାଇଥିଲା । ଆଉ ଏହିଠାରୁ ଭାରତୀୟ ହକିର ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ନରିନ୍ଦର ।

ଏହାସହ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ପଦକ ପାଇଛି ତାହା ପଛରେ ଓଡ଼ିଶାର ବଡ ଭୂମିକା ରହିଛି ବୋଲି ନରିନ୍ଦର କହିଛନ୍ତି । କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଅବଦାନ ଭାରତୀୟ ହକିକୁ ସଫଳତାର ଶିଖରରେ ପହଞ୍ଚାଇଛି । ହକିର ଲୋକପ୍ରିୟତାର ଗ୍ରାଫ୍ ଏବେ ବଢି ଚାଲିଛି । କେବଳ ହକି ନୁହେଁ ବରଂ ଅନ୍ୟ କ୍ରୀଡାକୁ ମଧ୍ୟ ବେଶ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ପ୍ରତି ଜିଲ୍ଲାରେ ଇନଡୋର ଷ୍ଟାଡିୟମ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଦର୍ଶାଉଛି ରାଜ୍ୟ ସରକାରଙ୍କ ଫୋକସରେ ରହିଛି କ୍ରୀଡା ।