ଦିଲ୍ଲୀକୁ ଦେଖିଲେ ଲାଗୁଛି ଡର : ଗତ ୨୪ ଘଣ୍ଟାରେ ସାଢ଼େ ୭ ହଜାର ନୂଆ ଆକ୍ରାନ୍ତ, ୧୩୧ ଜଣଙ୍କ ମୃତ୍ୟୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଓଡିଶାରେ ବି ବିଗିଡିପାରେ ସ୍ଥିତି 

889

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଉଦବେଗଜନକ ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିନଥିଲେ ୨ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ବିଶେଷଜ୍ଞ କହୁଛନ୍ତି ସତର୍କ ନହେଲେ ଦିଲ୍ଲୀ ଭଳି ଓଡିଶାରେ ସ୍ଥିତି ବିଗିଡିପାରେ ।

ଦିଲ୍ଲୀରେ କରୋନାର ନୂଆ ଲହଡି ପୁଣି ସେଇ ପୁରୁଣା ଭୟ ସଂଚାର କରୁଛି । ଗତ ୨୪ ଘଂଟାରେ ୭ ହଜାର ୪୮୬ ଆକ୍ରାନ୍ତ ଏବଂ ୧୩୧ ଜଣଙ୍କ ମୃତ୍ୟୁ ଚିନ୍ତା ବଢାଇ ଦେଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସର୍ବଦଳୀୟ ବୈଠକ ଡାକି କରୋନାର ମୁକାବିଲା ନେଇ ରଣନୀତି ସ୍ଥିର କରୁଛନ୍ତି । ଗତ ୩ ସପ୍ତାହ ହେଲା ହଠାତ୍ ଦିଲ୍ଲୀରେ ସଂକ୍ରମଣ ବଢିଗଲା । କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଶୀତ ଦିନରେ ବାୟୁ ପ୍ରଦୂଷଣ ଯୋଗୁଁ ମହାମାରୀ ଉଗ୍ରରୁପ ନେଇଗଲା ।

ଦିଲ୍ଲୀରେ ପରିସ୍ଥିତି ଏପରି ହେଲାଣି ଯେ ହସ୍ପିଟାଲରେ ଆଇସିୟୁ ବେଡ ଅଭାବ ପଡିଲାଣି । ଦିଲ୍ଲୀ ସରକାର ୬୬୦ଟି ଆଇସିୟୁ ବେଡ ବଢାଇବା ପାଇଁ ଯୁଦ୍ଧକାଳୀନ ଭିତିରେ କାମ କରୁଛନ୍ତି ଏବଂ ଭାରତୀୟ ରେଳବାଇ ଟ୍ରେନ କୋଚରେ ୮ ଶହ ବେଡ ଯୋଗାଇ ଦେବ ବୋଲି କହିଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଡକାଯାଉଛି ।

ଏସବୁ ଭିତରେ ଲକଡାଉନ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଚିନ୍ତା କରୁଥିବା ବେଳେ ତଥାପି ବିନା ଲକଡାଉନରେ କୋଭିଡ ମୁକାବିଲା ପାଇଁ ଚିନ୍ତା କରାଯାଉଛି । ଦିଲ୍ଲୀର ସ୍ଥିତି ଦେଖି ଓଡିଶାରେ ମଧ୍ୟ ସତର୍କ ରହିବା ଉପରେ ବିଶେଷଜ୍ଞମାନେ ଜୋର ଦେଇଛନ୍ତି ।