ବଜାରରେ ଉଚ୍ଚ ଦରରେ ବିକ୍ରି ହେଉଥିଲେ ବି ଅଣ୍ଡା ପାଇଁ ଓଡିଶା ଚାଷୀଙ୍କୁ ମିଳୁଛି କମ୍ ମୂଲ୍ୟ । ଆନ୍ଧ୍ର ସରକାରଙ୍କ ପ୍ରଭାବ ଅଭିଯୋଗ କରି ଆନ୍ଧ୍ରର ଅଣ୍ଡା ଟ୍ରକକୁ ଅଟକାଇଲେ ଓଡିଶା ଚାଷୀ

351

କନକ ବ୍ୟୁରୋ: ଆନ୍ଧ୍ର ଅଣ୍ଡା ଟ୍ରକକୁ ଅଟକାଇ ପ୍ରତିବାଦ କରିଛନ୍ତି ଓଡିଶା ଅଣ୍ଡାଦିଆ କୁକୁଡା ଚାଷୀ ସଂଘ । ଜାତୀୟ ଅଣ୍ଡା ସମନ୍ୱୟ କମିଟିର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡିଶାର ଚାଷୀ କ୍ଷତି ସହୁଛନ୍ତି । ଆନ୍ଧ୍ର କୁକୁଡା ଚାଷୀ ଓ ଜାତୀୟ ଅଣ୍ଡା ସମ୍ବନୟ କମିଟିର ମଧୁଚନ୍ଦ୍ରିକା ଓଡିଶା ଚାଷୀଙ୍କ ପାଇଁ କାଳ ପାଲଟିଛି । ଚାଷୀଙ୍କ ଠାରୁ କମ ଦରରେ ଅଣ୍ଡା କିଣାଯାଉଛି, କିନ୍ତୁ ବଜାରରେ ଉଚ୍ଚା ଦରରେ ବିକ୍ରି ହେଉଛି । ଏହାର ପ୍ରତିବାଦରେ ରାସ୍ତା ଉପରେ ଅଣ୍ଡା ଟ୍ରେ ଫୋପାଡ଼ି ବିରୋଧ ପ୍ରଦର୍ଶନ କରିଛନ୍ତି ଓଡିଶାର ଚାଷୀ ।

  • ଗୋଟିଏ ଅଣ୍ଡାକୁ ୩ଟଙ୍କା ୭୬ ପଇସାରେ ବିକ୍ରି କରୁଛି ଚାଷୀ
  • ହେଲେ ଗୋଟିଏ ଅଣ୍ଡାକୁ ୬ଟଙ୍କା ଦରରେ କିଣୁଛି ଖାଉଟି

ତେବେ ମଝିରେ କିଏ ଅଛି? ଯିଏ ଗୋଟିଏ ଅଣ୍ଡାରେ ୨ ଟଙ୍କା ୨୪ ପଇସା ନେଇ ଯାଉଛି । ପ୍ରକୃତରେ କେହି ବ୍ୟକ୍ତି ଏହି ଟଙ୍କା ନେଉନାହାନ୍ତି, ଗୋଟିଏ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ପାଇଁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।

  • ଆନ୍ଧ୍ର ଏବଂ ଜାତୀୟ ଅଣ୍ଡା ସମନ୍ୱୟ କମିଟିର ମନମାନି
  • କ୍ଷତି ସହୁଛନ୍ତି ଓଡିଶାର ଅଣ୍ଡାଦିଆ କୁକୁଡା ଚାଷୀ

ଅଣ୍ଡା ଦର ବଢାଇବା ଦାବିରେ ରାଜରାସ୍ତାରେ ଏଭଳି ପ୍ରତିବାଦ କରିଛନ୍ତି ଓଡିଶାର ଅଣ୍ଡାଦିଆ କୁକୁଡା ଚାଷୀ ସଂଘ । ଆନ୍ଧ୍ର କୁକୁଡା ଚାଷୀ ଓ ଜାତୀୟ ଅଣ୍ଡା ସମ୍ବନୟ କମିଟିର ମଧୁ ଚନ୍ଦ୍ରିକା ଓଡିଶା ଚାଷୀଙ୍କ ପାଇଁ କାଳ ପାଲଟିଛି । ଯାହାର ପ୍ରତିବାଦରେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡାଠାରେ ଆନ୍ଧ୍ରରୁ ଆସୁଥିବା ଅଣ୍ଡା ଟ୍ରକ୍କୁ ଅଟକାଇ ବିରୋଧ ପ୍ରଦର୍ଶନ କରିଛନ୍ତି ରାଜ୍ୟ ଅଣ୍ଡାଦିଆ କୁକୁଡା ଚାଷୀ ସଂଘ ।

ଜାତୀୟ ଅଣ୍ଡା ସମ୍ବନୟ କମିଟିର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଅପ୍ରେଲ ୧୫ ସୁଦ୍ଧା ଚାଷୀଙ୍କ ଅଣ୍ଡା ଦର ବୃଦ୍ଧି ପାଇବାର ଆଶା ଥିବା କହିଛନ୍ତି ସଂଘର ସଦସ୍ୟ । ସେମାନଙ୍କ ଦାବି ହେଲା ଅଣ୍ଡାର ଏକ ନିର୍ଦ୍ଧିଷ୍ଟ ଦର ଧାର୍ଯ୍ୟ ହେଉ, ଯାହା ଚାଷୀଙ୍କ କ୍ଷତି ଭରଣା କରିପାରିବ । ଅଣ୍ଡାର ଦର ଧାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ । ଏଭଳି ୬ଟି ଦାବି ରଖିଛନ୍ତି ।

ଭେଙ୍କେଟେଶ୍ୱର ହ୍ୟାଚେରୀ ଜରିଆରେ ବର୍ଷକୁ କୁକୁଡା ଚିଆଁ ବାବଦରେ ଓଡିଶା ଚାଷୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଆଦାୟ କରିଥାଏ ଜାତୀୟ ଅଣ୍ଡା ସମ୍ବନୟ କମିଟିି । ହେଲେ ଓଡିଶାରେ କୁକୁଡା ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।