କନକ ବ୍ୟୁରୋ : ସରିଲା ଶ୍ରାବଣ, କିନ୍ତୁ ବର୍ଷାର ଦେଖାନାହିଁ । ନା ଅଛି ମୌସୁମୀ ବର୍ଷା ନା ଲଘୁଚାପଜନିତ ବର୍ଷା । ନିଅଣ୍ଟିଆ ବର୍ଷା ଯୋଗୁଁ ସବୁଠି ସ୍ଥିତି ବେହାଲ । କେବଳ ଉତ୍ତର-ପୂର୍ବର କିଛି ରାଜ୍ୟ ଓ ଦକ୍ଷିଣର କିଛି ଅଞ୍ଚଳକୁ ଛାଡ଼ି ଦେଲେ ବାକି ରାଜ୍ୟ ଗୁଡ଼ିକରେ ଭଲ ବର୍ଷା ଆଶା କ୍ଷୀଣ । ଏଭଳି ସ୍ଥିତିରେ ୧୨୦ ବର୍ଷରେ ସବୁଠୁ ଶୁଖିଲା ପାଲଟିଛି ଅଗଷ୍ଟ । ଅର୍ଥାତ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୩୩ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଗଷ୍ଟର ୨୯ ଦିନରେ ୨୫ ଦିନ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ ହୋଇଛି ।

Advertisment

ଚାଷ ପାଇଁ ଧାନ ଫସଲ ନଷ୍ଟ ହେବାକୁ ଲାଗିଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ଚାଷ ପାଣି ଅଭାବ ଯୋଗୁଁ କେହି କେହି ଏପର୍ଯ୍ୟନ୍ତ ଚାଷ କାମ ଆରମ୍ଭ କରିନାହାନ୍ତି । ଅନେକ ଚାଷୀ ରୁଆ କାମ ସାରିଥିବା ବେଳେ କେନାଲରେ ପାଣି ଆସୁନଥିବାରୁ ଜମି ଫାଟି ଆଁ କରିବା ସହ ତଳି ମଧ୍ୟ ଶୁଖି ଗଲାଣି । ଏପରି ସ୍ଥିତିରେ କିଛି ସ୍ଥାନରେ ମରୁଡ଼ି ଆଶଙ୍କା ଦେଖା ଦେଇଛି । କେବଳ ଚାଷୀ ନୁହଁନ୍ତି, ସରକାରଙ୍କୁ ମଧ୍ୟ ଘାରିଲାଣି ମରୁଡ଼ି ଭୟ । ଅନ୍ୟପକ୍ଷରେ ବର୍ଷା ଅନିୟମିତତା ପଛରେ ଏଲ୍-ନିନୋ ପ୍ରଭାବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଅନ୍ୟପଟେ ଗତ ତିନି ମାସରେ ରାଜ୍ୟର ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାର ତଥ୍ୟ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନବରଙ୍ଗପୁରରେ ସର୍ବାଧିକ ୪୧ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡାରେ ୩୭ ପ୍ରତିଶତ, କଳାହାଣ୍ଡିରେ ୩୬ ପ୍ରତିଶତ, ଗଞ୍ଜାମରେ ୩୫ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଏଥିସହ ରାୟଗଡା, କୋରାପୁଟ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକରେ ବି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କଂଟିଜେନ୍ସି ପ୍ଲାନ କରାଯାଇଛି ବୋଲି କହିଛନ୍ତି, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ଏବଂ କୃଷି ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି ।