କିଣା ହୋଇପାରୁନି ଧାନ: ଜୟପୁର ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ; ଶୀତ କାକରରେ ବର୍ଷକର ପରିଶ୍ରମକୁ ଜଗି ରହିଛି ଚାଷୀ

ସେପଟେ ମାଲକାନଗିରିରୁ ଆସିଲା ସମାନ ଚିତ୍ର

50

କନକ ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥାର ଅଭାବନୀୟ ଚିତ୍ର । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ । କେତେକ ବସ୍ତା କଣା ହୋଇ ଚାଷୀ କଷ୍ଟ ଉପାର୍ଜିତ ମୂଲ ସବୁ ତଳେ ଗଦା ହୋଇଛି । ଯାହାକୁ ଜାଣିଲେ ଆପଣମାନେ ବି ବିଚଳିତ ହୋଇଯିବେ । ଚାଷୀଙ୍କ ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ । କୋରାପୁଟ ଜିଲ୍ଲାର ପ୍ରତ୍ୟେକ ମଣ୍ଡିର ଏହି ଅବ୍ୟବସ୍ଥା ଲାଗି ରହିଛି । ଜୟପୁର ବ୍ଲକର ହାଡିଆ ପଂଚାୟତରେ ଥିବା ମହିଳା ମାଆ ବୁଢୀ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣୁଥିବା ମଣ୍ଡି ଏବେ ପ୍ରାୟ ୧୪ ହଜାର କ୍ୱିଂଟାଲ ଧାନ ବିକ୍ରି ଅପେକ୍ଷାରେ ରହିଛି ।

୭ ଦିନ ହେଲା ଧାନ ବସ୍ତା ସବୁ ଗଦା ହୋଇ ରହିଛି । ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଚାଷୀ ମଣ୍ଡିକୁ ଧାନ ଆଣିଛନ୍ତି । ହେଲେ ଧାନ ବିକିବା ପାଇଁ ସ୍ଥିର ହୋଇଥିବା ଦିନ ଏହାରି ଭିତରେ ଶେଷ ହୋଇଛି । କିନ୍ତୁ ଧାନ କିଣା ହୋଇନାହିଁ । ତେଣୁ ମଣ୍ଡିରେ ଧାନ ଗଦା କରି ପଲିଥିନ ପକାଇ ଶୀତ କାକରରେ ଜଗି ରହିଛନ୍ତି ଚାଷୀ ।

ସେପଟେ ମାଲକାନଗିରିରେ ବି ସେହି ଏକା ଅବସ୍ଥା । ଟାର୍ଗେଟ ସରିଥିଲେ ବି ମଣ୍ଡିରୁ ଧାନ ଉଠିବା ବନ୍ଦ ହୋଇଯାଇଛି । ଫଳରେ ଚାଷୀକୂଳ ନିରାଶ ହୋଇଛନ୍ତି । ହଜାର ହଜାର ଚାଷୀଙ୍କ ହାତରେ ଟୋକନ ରହିଛି । କିନ୍ତୁ ମଣ୍ଡିରୁ ଧାନ ଉଠୁନାହିଁ । ମଣ୍ଡିରେ ଧାନରଖି ଚାଷୀକୂଳ ହଟହଟା ହେଉଛନ୍ତି । ଜିଲ୍ଲାରେ ୧ ଲକ୍ଷ ୫୪ ହଜାର କ୍ୱିଂଟାଲ ଧାନ କିଣିବା ଲାଗି ଟାର୍ଗେଟ ରଖାଯାଇଥିଲେ ବି ପ୍ରାୟ ୧ ଲକ୍ଷ ୩୪ ହଜାର କ୍ୱିଂଟାଲ ଧାନ କିଣା ସରିଛି । କୋରକୁଣ୍ଡା ମଣ୍ଡିରେ ବି ସମାନ ପରିସ୍ଥିତି ଦେଖାଦେଇଛି ।