କନକ ବ୍ୟୁରୋ : ଦିନ ଯେତିକି ଗଡ଼ି ଗଡ଼ି ଚାଲୁଛି, ନକଲି ହାକ୍ତର ରମେଶ ଚନ୍ଦ୍ର ସ୍ୱାଇଁର ଗୁମର ଖୋଲିବାରେ ଲାଗିଛି । ପୁଲିସ ହାତରେ ମଧ୍ୟ ଗୋଟିଏ ପରେ ଗୋଟିଏ ଚଂଚଲ୍ୟକର ତଥ୍ୟ ଲାଗୁଛି । ଠକେଇ ଘଟଣା ଓ ପରିମାଣ ବି ବଢ଼ି ଚାଲିଛି । ଏସବୁର ଗୁମର ଖୋଲିବା ପାଇଁ ରମେଶକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୁଲିସ ।

Advertisment

ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଆଣି ୩୦ ବର୍ଷର ଇତିହାସ ଖୋଜିବ ପୁଲିସ । ସେହିପରି ଅଧିକ ଖୋଳତାଡ଼ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ । ସେଠାରେ ଯେଉଁ ମହିଳାମାନଙ୍କୁ ଛଳନା କରି ରମେଶ ବିବାହ କରିଛି, ସେମାନେ ଯଦି ଚାହିଁବେ ତାହେଲେ ପୁଲିସ ଅଭିଯୋଗ ଗ୍ରହଣ କରିବ । ଏପରିକି ସ୍ୱତନ୍ତ୍ର ଟିମରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବେ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିବାହ ପାଇଁ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆହୁରି ୧୦ରୁ ଅଧିକ ମହିଳା ବିବାହ ପାଇଁ ଲାଇନ୍‌ରେ ଥିବା ପୁଲିସ ରମେଶଙ୍କ ମୋବାଇଲ ଫୋନ୍ ଚାଟିଂ ଓ କଲ୍ ଡିଟେଲ୍ସରୁ ଜାଣିବାକୁ ପାଇଛି। ସମ୍ପୃକ୍ତ ମହିଳାଙ୍କ ସହ ଆଜି ତଦନ୍ତକାରୀ ଟିମ୍ ଯୋଗାଯୋଗ କରିଛି । ସେମାନେ ଦେଶର ବିଭିନ୍ନ ସ୍ଥାନର ହୋଇଥିବା ଜଣାପଡ଼ିଛି । ରମେଶ ବିବାହ ପ୍ରତିଶ୍ରୁତି ଦେଇଥିବା ମହିଳାଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ପୁଲିସ କହିଛି ।

ରମେଶଙ୍କ ମୋବାଇଲ ଫୋନ୍ ହ୍ବାଟସଆପ୍ ଚାଟିଂ, କଲ୍ ଡିଟେଲ୍ସ ରେକର୍ଡ, ଏସ୍‌ଏମ୍‌ଏସ୍‌କୁ ଆଧାର କରି ୧୨୦ରୁ ଅଧିକ ମହିଳା ଓ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଛି । ଠକେଇ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରିମାଣ୍ଡ ଅବଧି ସମୟରେ ଆହୁରି ବହୁ ସଂଖ୍ୟାରେ ଅଭିଯୋଗ ଆସିବ ବୋଲି ପୁଲିସ ଅନୁମାନ କରୁଛି । ରିମାଣ୍ଡ ସମୟରେ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ଗୁମର ଖୋଲିବା ସହ ଠକେଇର ଶିକାର ମହିଳା ଓ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି ।