ଓଡିଶା ମୁହାଁ କେନ୍ଦ୍ରୀୟ ନେତୃତ୍ୱ: ଫୋକସରେ ଲୋକସଭା ଆସନ

166

କନକ ବ୍ୟୁରୋ: ବିଜେପିର ଫୋକସରେ ଆଗ ଲୋକସଭା ଓ ପରେ ବିଧାନସଭା ରହିଛି । ତେଣୁ ଜଣକ ପର ଜଣେ ବଡ ନେତା ଏବେ ରାଜ୍ୟଗସ୍ତ ଆରମ୍ଭ କରିଛନ୍ତି । ଶିବରାଜ ସିଂହ, ନୀତିନ ଗଡକରି ଓ ରାଜନାଥ ସିଂଙ୍କ ଭଳି ନେତାଙ୍କ ଓଡ଼ିଶା ଗସ୍ତ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଜାତୀୟ ସଭାପତି ଜେପି ନଡ୍ଡା ବି ଓଡ଼ିଶା ଆସୁଛନ୍ତି । ଏହି ନେତାମାନେ ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି ସମୀକ୍ଷା କରିବେ । ସେପଟେ ଜାତୀୟ ଗଣମାଧ୍ୟମ ଗୁଡ଼ିକର ସଭେ; ଅନୁସାରେ ରାଜ୍ୟରେ ବିଜେପି ଅଧିକ ଲୋକସଭା ଆସନ ପାଇପାରେ ।

ଶିବରାଜ ସିଂ ଚୌହ୍ୱାନ, ନୀତିନ ଗଡକରୀ, ରାଜନାଥ ସିଂହ, ଜେ.ପି ନଡ୍ଡା, ବିଜେପିର ଏହିସବୁ ବଡ ନେତା ଏବେ ଓଡିଶା ମୁହାଁ । ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଏବେ ରାଜ୍ୟର ଲୋକସଭା ଆସନଗୁଡିକ ଉପରେ ଫୋକସ କରୁଛି ବିଜେପି । ତେଣୁ ଜଣକ ପର ଜଣେ ବଡ ନେତା ଏବେ ରାଜ୍ୟଗସ୍ତ ଆରମ୍ଭ କରିଛନ୍ତି

-୧୩ ତାରିଖରେ କଟକ, ଜଗତସିଂହପୁର ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ
-କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ୧୫ରେ ଆସିବେ ପୁରୀ
-ରାଜନାଥ ସିଂହ ୨୨ରେ ଓଡି଼ଶା ଆସିବେ

ଏହାବାଦ ମାସ ଶେଷରେ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତାମାନେ ଓଡିଶାର ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପଂହଚିବା ଓ ସଙ୍ଗଠନ ସ୍ଥିତିର ସମୀକ୍ଷା କରିବେ ।

ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଖୁବଶୀଘ୍ର ଘୋଷଣା ହେବାକୁ ଥିବାବେଳେ ରାଜ୍ୟ ବିଜେପି ଶିବିର ଚଳଚଂଚଳ ହୋଇଛି । ଦଳୀୟ ଅଫିସରେ ପଦାଧିକାରୀଙ୍କ ବୈଠକ କରିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି । ଏଥିରେ କେନ୍ଦ୍ରୀୟ ନେତାଙ୍କ ଗସ୍ତ ଖସଡା, ବୁଥ ଚାଲ ଅଭିଯାନ, ଗାଁକୁ ଚାଲ ଅଭିଯାନ ଓ ନାରୀଶିକ୍ତ ବନ୍ଦନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି । ଏହା ସହ ଛାମୁଆ ସଙ୍ଗଠନ ଓ ଲୋକସଭା ପ୍ରଭାରୀଙ୍କ ସହ ବୈଠକ ହୋଇଛି । ଏହାର ରିପୋର୍ଟ ଜାତୀୟ ସଭାପତିଙ୍କୁ ଦିଆଯିବ ।

ଜାତୀୟ ଗଣମାଧ୍ୟମଗୁଡିକର ସର୍ଭେ ଅନୁସାରେ, ରାଜ୍ୟରେ ବିଜେପି ଅଧିକ ଲୋକସଭା ଆସନ ପାଉଥିବାବେଳେ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିବ । ତେଣୁ ବିଜେପି ରାଜ୍ୟରେ ଅଧିକ ଲୋକସଭା ଆସନ ଜିତିବାକୁ ପ୍ରସ୍ତୁତ କରୁଛି ରଣନୀତି ।