ଦିନକୁ ଏକଲକ୍ଷ କରୋନା ପରୀକ୍ଷା କରିବା ପାଇଁ ଓଡିଶା ରଖିଛି ଲକ୍ଷ୍ୟ । ସପ୍ତାହକ ପରେ ଦିନକୁ ହେବ ୫୦ ହଜାର ପରୀକ୍ଷା : ଟେଷ୍ଟିଂ ବଢୁଛି, ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି

114

କନକ ବ୍ୟୁରୋ: ରାଜ୍ୟରେ ବଢ଼ି ଚାଲିଛି ନମୁନା ପରୀକ୍ଷା ସଂଖ୍ୟା, ହେଲେ ସେହି ତୁଳନାରେ ବଢ଼ୁନି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଅର୍ଥାତ ସଂକ୍ରମଣ ହାର ପ୍ରାୟ ସ୍ଥିର ରହିଛି । ଆଜି ସର୍ବାଧିକ ୩୨ ହଜାର ୩୨ହଜାର ୦୫୩ଟି ପରୀକ୍ଷା ହୋଇଥିବା ବେଳେ ୧୮୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଖୁବ୍ ଶୀଘ୍ର ଦୈନିକ ୧ଲକ୍ଷ ପରୀକ୍ଷା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସେପଟେ ସଂକ୍ରମଣ ରୋକିବାକୁ ହେଲେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୬ ଜୁଲାଇ ଟେଷ୍ଟ-୧୧୮୦୯ ପଜିଟିଭ-୧୩୭୬
୨୮ ଜୁଲାଇ ଟେଷ୍ଟ-୯୧୧୩ ପଜିଟିଭ-୧୨୧୫
୩୦ଜୁଲାଇ ଟେଷ୍ଟ-୧୨୯୨୮ ପଜିଟିଭ-୧୨୦୩
୧ ଅଗଷ୍ଟ ଟେଷ୍ଟ-୧୪,୬୦୮ ପଜିଟିଭ-୧୬୦୨
୩ ଅଗଷ୍ଟ ଟେଷ୍ଟ-୧୪୦୦୨ ପଜିଟିଭ-୧୩୫୪
୫ ଅଗଷ୍ଟ ଟେଷ୍ଟ-୧୪୯୧୫ ପଜିଟିଭ-୧୩୩୭
୭ ଅଗଷ୍ଟ ଟେଷ୍ଟ-୧୬୦୫୫ ପଜିଟିଭ-୧୮୩୩
୯ ଅଗଷ୍ଟ ଟେଷ୍ଟ-୧୬୦୯୩ ପଜିଟିଭ-୧୭୩୪
୧୧ ଅଗଷ୍ଟ ଟେଷ୍ଟ-୨୩୦୩୫ ପଜିଟିଭ-୧୩୪୧
୧୨ ଅଗଷ୍ଟ ଟେଷ୍ଟ-୩୨୦୫୩ ପଜିଟିଭ-୧୮୭୬
ଇଏ ହେଉଛି ରାଜ୍ୟରେ ଗଲା ୨୦ ଦିନ ମଧ୍ୟରେ ହୋଇଥିବା କରୋନା ପରୀକ୍ଷା ଏବଂ ପଜିଟିଭ ସଂଖ୍ୟା । ଆଉ ଆଜି ସର୍ବାଧିକ ୩୨ହଜାର ୦୫୩ଟି ପରୀକ୍ଷା ହୋଇଥିବା ବେଳେ ପଜିଟିଭ ସଂଖ୍ୟା ହେଉଛି ୧୮୭୬ । ଏହି ଗ୍ରାଫକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ କିପରି ରହିଛି ଟେଷ୍ଟିଂ ଓ କୋଭିଡ ପଜିଟିଭର ଅନୁପାତ । ଅର୍ଥାତ ଟେଷ୍ଟିଂ ବଢୁଛି, ସଂକ୍ରମଣ ହାର ସେହି ତୁଳନାରେ ସ୍ଥିର ରହୁଛି ।

ଅନ୍ୟପଟେ ଆଉ ଏକ ବଡ ଲକ୍ଷ୍ୟ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦୈନିକ ୧ଲକ୍ଷ ପରୀକ୍ଷା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ୫୦ହଜାରକୁ ବଢାଯିବ ଏବଂ ପରବର୍ତି ସମୟରେ ଏହି ସଂଖ୍ୟା ୧ଲକ୍ଷକୁ ବୃଦ୍ଧି କରାଯିବ ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ପରୀଚାଳନାର ସମୀକ୍ଷା କରି କହିଛନ୍ତି, କରୋନା ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ସେ ଆହ୍ୱାନ ଦେଇଛନ୍ତି । ବର୍ତମାନ ଆମ ଦେଶରେ ୧୦ଲକ୍ଷ ଜନସଂଖ୍ୟାରେ ହାରାହାରି ୧୮ହଜାର ଲୋକଙ୍କ କରୋନା ପରୀକ୍ଷା କରାଯାଉଥିବା ବେଳେ ଓଡିଶାରେ ଏହା ପ୍ରାୟ ୧୫ ହଜାର ରହିଛି । ସେପଟେ ଆମେରିକାରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୨ଲକ୍ଷ ଲୋକଙ୍କ କରୋନା ପରୀକ୍ଷା ହେଉଛି ।