ଆଜିଠାରୁ ୧୬ ଯାଏଁ ଆଂଶିକ ଲକ୍‌ଡାଉନ୍ : ସରକାରଙ୍କ ଅନୁମତି ପରେ ଖୋଲିଲା ସେଲୁନ୍, ବିକ୍ରି ହେଲା ଚା’, ଗଡ଼ିଲା ବସ୍ : ଜାରି ରହିବ ନାଇଟ କର୍ଫ୍ୟୁ

311

କନକ ବ୍ୟୁରୋ : ଆଜିଠାରୁ ଆଂଶିକ ଲକଡାଉନ କଟକଣାକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କିନ୍ତୁ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂଆ ମାର୍ଗଦର୍ଶିକାରେ ଯେଉଁ କଟକଣା ଲଗାଇବାକୁ ନିଷ୍ପତି ନିଆଯାଇଛି, ତାହା ଆମକୁ ଏକ ଶିକ୍ଷା ଦେଇଛି । ଜୁନ୍ ୧୭ ପରେ ପଶ୍ଚିମଓଡିଶା ଓ ଦକ୍ଷିଣ ଓଡିଶାର କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ସେସବୁ ଜିଲ୍ଲାରେ କଟକଣାକୁ ମାନୁଥିବାରୁ ସଂକ୍ରମଣ କମ୍ ରହିଛି । ଫଳରେ ସେଠାରେ କଟକଣାକୁ ଆହୁରି କୋହଳ କରାଯାଇଛି । କିନ୍ତୁ ଉପକୂଳ ଓ ଉତର ଓଡିଶାର ଜିଲ୍ଲାରେ କଟକଣାକୁ ନମାନିବା ମହଙ୍ଗା ସାବ୍ୟସ୍ତ ହୋଇଛି । ସଂକ୍ରମଣ ପାଂଚ ପ୍ରତିଶତ ଉପରେ ରହିବାରୁ ପୁଣି ଥରେ କଟକଣାକୁ କଡାକଡି କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍‌, ପ୍ରଦର୍ଶନୀ, ମେଳା, ସିନେମା ହଲ୍‌, ଜିମ୍‌, ପାର୍କ, ଯାତ୍ରା, ବାର୍‌, ଅଡିଟୋରିୟମ୍, ସାମାଜିକ, ଧାର୍ମିକ ଓ ରାଜନୈତିକ ସଭାସମିତିକୁ ବାରଣ କରାଯାଇଛି। ସବୁ ଜିଲ୍ଲାରେ ସପିଙ୍ଗ୍‌ ମଲ୍‌, ସ୍ପା, ବିଉଟି ପାର୍ଲର୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ। ମନ୍ଦିର ଓ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ପୂଜକଙ୍କୁ ନେଇ ସେଠାରେ ଦୈନିକ ରୀତିନୀତି ଚାଲିବ। ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟର ହୋମ୍‌ ଡେଲିଭରି ଉପରେ କୌଣସି କଟକଣା ଜାରି କରାଯାଇ ନାହିଁ।