କମିଲା ସଂକ୍ରମଣ ଖୋଲିଗଲା ଓଡ଼ିଶା । ସପ୍ତାହନ୍ତ ସଟଡାଉନ୍, ନାଇଟ କର୍ଫ୍ୟୁ ହଟାଇଲେ ସରକାର, ବିବାହ ଶୋଭାଯାତ୍ରାକୁ ଅନୁମତି ।

264

କନକ ବ୍ୟୁରୋ : ସେପ୍ଟେମ୍ବର ଗାଇଡଲାଇନରେ ଜୀବନ-ଜୀବିକାକୁ ଗୁରୁତ୍ୱ ଦେଇ ଅନଲକ୍ ପ୍ରକ୍ରିୟାକୁ ଆଉ ଗୋଟିଏ ପାଦ ଆଗକୁ ନେଇଛନ୍ତି ରାଜ୍ୟ ସରକାର । ଲୋକଙ୍କ ଦାବିକୁ ମାନିନେଇ କଟକ, ଭୁବନେଶ୍ୱର ଓ ପୁରୀ ସହରରୁ ସପ୍ତାହନ୍ତ ସଟଡାଉନକୁ ହଟାଇ ଦିଆଯାଇଛି । ନାଇଟ୍ କର୍ଫ୍ୟୁରେ ବି କୋହଳ କରାଯାଇଛି । କେବଳ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ରହିବ । ସେହିପରି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଥିବା କଟକଣାକୁ କୋହଳ କରି ୨୫୦ ଜଣ ସାମିଲ ହୋଇପାରିବେ ବୋଲି ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର ।

ଦୀର୍ଘ ଚାରିମାସ ପରେ ରାଜ୍ୟରେ ପୁଣି ଥରେ ସ୍ୱାଭାବିକ ହେବାକୁ ଯାଉଛି ସାଧାରଣ ଜୀବନଯାପନ । ଜୀବନ-ଜୀବିକାକୁ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ମହଲରୁ ହେଉଥିବା ଦାବିକୁ ଗ୍ରହଣ କରି ସରକାର ଅଧିକାଂଶ କଟକଣାକୁ ସେପ୍ଟେମ୍ବର ମାସରେ ହଟାଇ ଦେବାକୁ ନିଷ୍ପତ୍ତି ନେଇ, ଜାରି କରିଛନ୍ତି ନୂଆ ଗାଇଡଲାଇନ୍ ।

ସମ୍ପୂର୍ଣ୍ଣ ହଟିଲା ସପ୍ତାହନ୍ତ ସଟଡାଉନ୍

ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ଜିଲ୍ଲାରୁ ସପ୍ତାହନ୍ତ ସଟଡାଉନ ହଟାଇଦେଇଥିଲେ ସରକାର । କିନ୍ତୁ ଭୁବନେଶ୍ୱର, କଟକ, ଓ ପୁରୀ ମ୍ୟୁନିସିପାଲିଟି ଅଞ୍ଚଳରେ କଟକଣାକୁ ବଳବତ୍ତର ରଖିଥିଲେ । ଏହି ତିନି ସହରର ଦୈନିକ ସଂକ୍ରମଣ ସଂଖ୍ୟା ଓ ଟିପିଆର ଅଧିକ ରହୁଥିବାରୁ ସପ୍ତାହନ୍ତ ସଟଡାଉନ କଟକଣା ଜାରି ରଖିଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳିବା ପରେ ଓ ସାଧାରଣ ଲୋକଙ୍କ ଦାବି ବଢ଼ିବା ପରେ ସପ୍ତାହନ୍ତ ସଟଡାଉନକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି ସରକାର ।

ନାଇଟ୍ କର୍ଫ୍ୟୁ କଟକଣା କୋହଳ

ସନ୍ଧ୍ୟା ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବାରୁ ଏହା ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରୁଥିଲା । ଏଥିପାଇଁ ନାଇଟ୍ କର୍ଫ୍ୟୁ ସମୟକୁ କୋହଳ କରିବାକୁ ବିଭିନ୍ନ ମହଲରୁ ଦାବି ବଢ଼ୁଥିଲା । ଲୋକଙ୍କ ଦାବି ଓ ବର୍ତ୍ତମାନର ସ୍ଥିତିକୁ ଦେଖି ନାଇଟ୍ କର୍ଫ୍ୟୁ କଟକଣାକୁ କୋହଳ କରିଛନ୍ତି ସରକାର ।

ପୌରାଞ୍ଚଳରେ ରହିବ ନାଇଟ୍ କର୍ଫ୍ୟୁ

ଗ୍ରାମାଞ୍ଚଳରେ ସାଧାରଣତଃ ରାତିରେ ଲୋକଙ୍କ ଚଳପ୍ରଚଳ କମ୍ ରହିଥାଏ । ଏହାକୁ ନଜରରେ ରଖି ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରୁ ନାଇଟ୍ କର୍ଫ୍ୟୁକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କିନ୍ତୁ ସହରାଞ୍ଚଳରେ ରାତିରେ ବି ଲୋକଙ୍କ ଚଳପ୍ରଚଳ ରହୁଥିବାରୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରଖିବାକୁ ଗାଇଡଲାଇନ୍ ଜାରି ହୋଇଛି ।

ବିବାହ ଶୋଭାଯାତ୍ରାକୁ ଅନୁମତି 

ଦୀର୍ଘଦିନ ହେବ ବାହାଘର ଶୋଭାଯାତ୍ରା ଉପରେ କଟକଣା ଲାଗିଥିଲା । କଟକଣା ଯୋଗୁଁ ବ୍ୟାଣ୍ଡ ପାର୍ଟି, ଲାଇଟ୍ ଓ ସାଉଣ୍ଡ ବ୍ୟବସାୟ କରୁଥିବା ମାଲିକ ଓ କର୍ମଚାରୀଙ୍କ ଜୀବିକା ପ୍ରଭାବିତ ହୋଇଥିଲା । ହେଲେ ସେପ୍ଟେମ୍ବର ମାସରେ ସେମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର ।

ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୨୫୦ଜଣଙ୍କୁ ଅନୁମତି 

ବିବାହ ହେଉ କି ବ୍ରତ ଘର କିମ୍ବା ଶୁଦ୍ଧିକ୍ରିୟା କଟକଣା ଯୋଗୁଁ ନିଜର ଲୋକମାନେ ବି ଯୋଗ ଦେଇପାରୁନଥିଲେ । ସେପ୍ଟେମ୍ବର ମାସରେ ଲାଗିଥିବା କଟକଣାକୁ କୋହଳ କରି ଏସମସ୍ତ କାର୍ଯ୍ୟରେ ୨୫୦ ଜଣ ଯୋଗ ଦେବାକୁ ଅନୁମତି ଦେଇଛନ୍ତି ସରକାର ।

ପ୍ରଦର୍ଶନୀ ଓ ମେଳା ମନା

ଆଗକୁ ପାର୍ବଣ ଋତୁ ଆସୁଥିବାରୁ କିଭଳି ଲୋକ ଗହଳିକୁ ଏଡାଇ ଦିଆଯାଇପାରିବ ସେପ୍ଟେମ୍ବର ଗାଇଡଲାଇନରେ ଏହା ଉପରେ ଜୋର ଦେଇଛନ୍ତି । ପାର୍ବଣ ସମୟରେ ପଡୁଥିବା ପ୍ରଦର୍ଶନୀ ଓ ମେଳାକୁ ବାରଣ କରାଯାଇଛି ।

ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ ମନା

ବିଭିନ୍ନ ସମାବେଶ ସଂକ୍ରମଣ ବୃଦ୍ଧିର କାରଣ ସାଜିବାର ଅନେକ ନମୂନା ରହିଛି । ସେଥିପାଇଁ ସେପ୍ଟେମ୍ବର ମାସରେ ବି ସମସ୍ତ ସାମାଜିକ, ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ଲଗାଇଛନ୍ତି ସରକାର ।