୧୦ ଜଣଙ୍କ ମୃତ୍ୟୁ ପରେ ଚେତିଲା ଶକ୍ତି ବିଭାଗ । ଏଣିକି ରାସ୍ତା କାମ କରିବା ଆଗରୁ ଶକ୍ତି ବିଭାଗର ଅନୁମତି ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ଓହଳି ଥିବା ୧୧ କେଭି ତାରକୁ ଉଚ୍ଚ କରାଯିବ, ବିଦ୍ୟୁତ ନିରାପତ୍ତା ପାଇଁ ଟ୍ରେନିଂ ଦିଆଯିବ…

362

କନକ ବ୍ୟୁରୋ: ଗଂଜାମ ମାନ୍ଦ୍ରାଜପୁର ବସ ଦୁର୍ଘଟଣାରେ କାର୍ଯ୍ୟନୁଷ୍ଠାନ ନେଲେ ସରକାର । କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ଜଣ ଯନ୍ତ୍ରୀ ଓ ସାଉଥକୋର ଜଣେ ଏସଡିପିଓ ନିଲମ୍ବିତ ହୋଇଛନ୍ତି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଇ ଓ ସହକାରୀ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି । ସାଉଥକୋ ଜେଇ ଦେବାଶିଷ ନାୟକ, ଏସଡିଓ ବିଶ୍ୱରଂଜନ ମହାପାତ୍ର ବି ନିଲମ୍ବିତ ହୋଇଛନ୍ତି । ସେହିପରି ଗଂଜାମ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ତେବେ ସବୁଠାରୁ ବଡ କଥା ହେଉଛି ଦୁର୍ଘଟଣାରେ ୧୦ ଜଣଙ୍କ ଅକାଳରେ ଜୀବନ ଯିବା ପରେ ଚେତିଛନ୍ତି ସରକାର, ଚେତିଛି ଶକ୍ତି ବିଭାଗ । ଏଣିକି ରାସ୍ତା କାମ କଲା ବେଳେ ବିଦ୍ୟୁତ ବିଭାଗର ଅନୁମତି ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ପିଡବ୍ଲୁଡି, ଏନଏଚ ଓ ଆରଡି ବିଭାଗ ଶକ୍ତି ବିଭାଗ ଠାରୁ ଅନୁମତି ପାଇବା ପରେ ରାସ୍ତା ନିର୍ମାଣ କରିପାରିବେ । ତାସହ ଯେଉଁଠି ଯେଉଁଠି ୧୧ କେଭି ତାର ଓହଳିଛି ସେସବୁକୁ ଉଚ୍ଚ କରାଯିବ । ଏହାଛଡା ବିପଦ ସଙ୍କୁଳ ଭାବେ ତାର ଓହଳିଥିବା ସ୍ଥାନ ଗୁଡିକର ଚିହ୍ନଟ କରାଯାଇ, ତାହାର ମ୍ୟାପିଂ ବି କରାଯିବ । ସେହିପରି ନିରାପତ୍ତା ପାଇଁ କର୍ମଶାଳା ସହ ଜନସଚେତନତା କାମ ହାତକୁ ନିଆଯିବ । ରାଜ୍ୟର ସମସ୍ତ ଲାଇନମ୍ୟାନ ମାନଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ତେବେ ବ୍ରହ୍ମପୁର ବସ ଦୁର୍ଘଟଣା ନେଇ ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥକୋ । ତଦନ୍ତ ରିପୋର୍ଟ ଦାଖଲ ପରେ ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଦୁର୍ଘଟଣାର ସବୁ ଦୋଷ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରକୁ ଠେଲିଛି ସାଉଥକୋ । ଆଉ ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ପାଇଁ ହିଁ ଏତେ ବଡ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ କରି ଆରଡି ମୁଣ୍ଡରେ ସିଧାସଳଖ ଅଠା ବୋଳିଛି ସାଉଥକୋ ।

ତେବେ ୨୦୧୮ରେ ରାସ୍ତା କାମ ପାଇଁ ଗ୍ରାମ ଉନ୍ନୟନ ବିଭାଗ ୩ରୁ ୪ ଫୁଟ ଉଚ୍ଚ କରିଥିଲା । ଯାହା ଫଳରେ ଭୂମି ଠାରୁ ବିଦ୍ୟୁତ ତାରର ଦୂରତା କମିଯାଇଥିଲା । ଯେଉଁଥିପାଇଁ ବସ ବିଦ୍ୟୁତ ସଂଯୋଜରେ ଆସି ଏତେ ବଡ ଅଘଟଣ ହେଲା ବୋଲି ରିପୋର୍ଟରେ ଦର୍ଶାଇଛି ସାଉଥକୋ । ତେଣୁ ଆଗାମୀ ଦିନରେ ରାଜ୍ୟରେ ଏଭଳି ଦୁର୍ଘଟଣାର ପୁନରାବୃତି ଯେମିତି ନହୁଏ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ଶକ୍ତି ମନ୍ତ୍ରୀ ।