କାହା ଗ୍ୟାରେଣ୍ଟିରେ କେତେ ଦମ୍ ? ଗାଁ ଗାଁରେ, ଚା’ ଖଟିରେ ଏବେ ‘ଗ୍ୟାରେଣ୍ଟି’କୁ ନେଇ ଚର୍ଚ୍ଚା…

166

କନକ ବ୍ୟୁରୋ: ପ୍ରଚାରରେ କମ୍ପୁଛି ରାଜ୍ୟ ରାଜନୀତି । ବିଭିନ୍ନ ଦଳର ମାରାଥନ ପ୍ରଚାର ଏବଂ ଓଡିଶାକୁ ବିଜେପି-କଂଗ୍ରେସର ଶୀର୍ଷ ନେତାଙ୍କ ଘନଘନ ଗସ୍ତ ଓଡିଶାର ରାଜନୀତିର ରେସକୁ ଆହୁଛି ତୀବ୍ର କରିଛି । ଏହାରି ଭିତରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ପାଇଁ ୩ ପ୍ରମୁଖ ଦଳ ନିଜ ନିଜ ତରିକାରେ ହାଇଭୋଲଟେଜ୍ ପ୍ରଚାର, ମାରାଥନ ରୋଡ୍ ସୋ କରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ‘ଗ୍ୟାରେଣ୍ଟି’ ଶବ୍ଦକୁ ନେଇ ୩ ଦଳ ଏବେ ବେଶ୍ ଗୁରୁତ୍ୱ ଦେଉଛନ୍ତି । ବିଜେପି- ବିଜେଡି- କଂଗ୍ରେସ ଗ୍ୟାରେଣ୍ଟିକୁ ନେଇ ନିଜ ନିଜ ଇସ୍ତାହାର ଜାରି କରିଥିବା ବେଳେ ଏହି ‘ଗ୍ୟାରେଣ୍ଟି’ ଶବ୍ଦ ଏବେ ରାଜ୍ୟର କୋଣ ଅନୁକୋଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଁଗାଁରେ ଗ୍ୟାରେଣ୍ଟି କଥା- ଟିଭି ଖୋଲିଦେଲେ ‘ଗ୍ୟାରେଣ୍ଟି’କୁ ନେଇ ଡିବେଟ୍ । ସୋସିଆଲ ମିଡିଆ ଆଡେଇଲେ ‘ଗ୍ୟାରେଣ୍ଟି’କୁ ନେଇ ରକମ ରକମର ବିଜ୍ଞାପନ ।

ତେବେ କାହା ‘ଗ୍ୟାରେଣ୍ଟି’ରେ କେତେ ଦମ୍ ଅଛି ତାହା ଲୋକଙ୍କୁ ନିଜ ଢଙ୍ଗରେ ଜଣାଉଛନ୍ତି ବିଭିନ୍ନ ଦଳ । ଆଉ ଲୋକ ବି ‘ଗ୍ୟାରେଣ୍ଟି’ ଦେଖିବା ସହ ପ୍ରାର୍ଥୀ ଦେଖି ଭୋଟ୍ ଦେବାକୁ ମନସ୍ଥ କରୁଥିବା କହୁଛନ୍ତି । ଆଉ ୟାରି ଭିତରେ ୨୦୨୪ ନିର୍ବାଚନ ପାର ହେବାକୁ କାହା ‘ଗ୍ୟାରେଣ୍ଟି’ର ଗାଡି କେତେ ଜୋର ଗଡିଲା ତାହା ତ ଜୁନ ୪- ରେଜଲ୍ଟ ବାହାରିବା ଦିନ ହିଁ ଜଣାପଡିବ । ହେଲେ ତା ଆଗରୁ ଆଉ ଥରେ ନଜର ପକେଇ ଆଣନ୍ତୁ କିଏ ଦେଇଛି କେଉଁ ଗ୍ୟାରେଣ୍ଟି…?

ମୋଦି ଗ୍ୟାରେଣ୍ଟି
ଓଡିଶାରେ ସରକାର ଗଢିବାକୁ ସ୍ୱପ୍ନ ଦେଖୁଥିବା ବିଜେପି ଏଥର ମୋଦି ଗ୍ୟାରେଣ୍ଟି ଦେଇ ଭୋଟରଙ୍କୁ ଭୋଟ୍ ମାଗୁଛି

-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି
– ଓଡିଶାରେ ସରକାର ଗଢିଲେ ୧୦୦ ଦିନରେ ଆୟୁଷ୍ମାନ
-୩୦୦୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ଭତ୍ତା
-ଓଡିଆରେ ଆଇନ, ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ
-୧୫ ଲକ୍ଷ ପିଏମ ଆବାସ
-ରତ୍ନ ଭଣ୍ଡାର ଚାବି ଖୋଲି ତାଲିକା ପ୍ରକାଶ
-ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲାଯିବ
-ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର
-ଧାନର ଏମଏସପି ୩୧୦୦ ଟଙ୍କା

ନବୀନ ଗ୍ୟାରେଣ୍ଟି
ଓଡିଶାରେ ପୁଣି କ୍ଷମତାକୁ ଆସି ଷଷ୍ଠ ଥର ପାଇଁ ସରକାର ଗଢିବାକୁ ବିଜେଡି ନବୀନ ଗ୍ୟାରେଣ୍ଟି ଦେଇଛି, ଯେଉଁଥିରେ…

-୧୦୦ ୟୁନିଟ୍ ଯାଏଁ ବିଜୁଳି ବିଲ୍ ମାଗଣା
-ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ବ୍ୟବସ୍ଥା
– ମିଶନ ଶକ୍ତି ମହିଳାଙ୍କ ପାଇଁ ୧୫ ଲକ୍ଷ ଯାଏଁ ବିନା ସୁଧରେ ଋଣ
-ଯୁବଶକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍
-ନୂଆ-ଓ ଛାତ୍ରବୃତ୍ତିରେ ଛାତ୍ରୀଙ୍କୁ ୧୪, ଛାତ୍ରଙ୍କୁ ୧୨ ହହାର ଟଙ୍କା
-୨ ଲକ୍ଷ ସରକାରୀ ଚାକିରି
-ସମସ୍ତଙ୍କ ପାଇଁ ବିଏସକେୱାଇ କାର୍ଡ
-ସମସ୍ତଙ୍କକୁ ମିଳିବ ରାସନ କାର୍ଡ
-ଯୋଗ୍ୟ ହିତାଧିକାରୀଙ୍କୁ ୧୦ ଲକ୍ଷ ଘର
-ଚାଷୀଙ୍କୁ ମାଗଣା ବିଜୁଳି, ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା

କଂଗ୍ରେସ ଗ୍ୟାରେଣ୍ଟି
ନିର୍ବାଚନ ପାଇଁ ବିଜେପି-ବିଜେଡି ଇସ୍ତାହାର ଜାରି କରିବା ପୂର୍ବରୁ ହିଁ କଂଗ୍ରେସ ଦେଇଥିଲା ଗ୍ୟାରେଣ୍ଟଣ୍ଟି, ଯେଉଁଥିରେ…

-ବୋନସ ସହ ଧାନର ଏମଏସପି ୩୦୦୦ ଟଙ୍କା
-କୃଷିଋଣ ଛାଡ, ମାସିକ ୨ ହଜାର ଟଙ୍କାର ପେନସନ
-ପ୍ରତି ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଜୁଳି ବିଲ୍ ଛାଡ
-ଯୁବପିଢିଙ୍କ ପାଇଁ ୫ ଲକ୍ଷ ସରକାରୀ ଚାକିରି
-ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା
-ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପାଇଁ ବ୍ୟାଙ୍କ ଋଣ ଛାଡ
-ଗୃହଲକ୍ଷ୍ମୀ ଯୋଜନାରେ ଘରର ମୁଖ୍ୟ ମହିଳାଙ୍କୁ ୨ ହଜାର ଟଙ୍କା
-ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାର ସିଲିଣ୍ଡର
-ସମସ୍ତଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା

ଓଡିଶାରେ ଭୋଟରଙ୍କ ଭରସା ଜିତିବାକୁ ୩ ପ୍ରମୁଖ ଦଳର ଏ ଲୋଭନୀୟ ଇସ୍ତାହାର କେତେ କାମ ଦେଉଛି ଆଉ କାହା ଗ୍ୟାରେଣ୍ଟି ଓଡିଶାରେ ସରକାର ଗଢୁଛି ତାହା ଜୁନ ୪ରେ ଜଣାପଡିବ ।