କାଲି ପଦ୍ମପୁରରେ ପାୱାର ଶୋ କରିବ ବିଜେଡି : ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

121

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଧୁଆଁଧାର ପ୍ରଚାର ଚାଲିଛି । ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବାରୁ ସବୁ ଦଳର ହେଭିୱେଟ ନେତା ପଦ୍ମପୁରରେ ଡେରା ପକାଇ ଜନସମର୍ଥନକୁ ନିଜ ସପକ୍ଷକୁ ଆଣିବା ପାଇଁ ସମସ୍ତ ବଳ ଖଟାଇ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମଧ୍ୟ ପଦ୍ମପୁରରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

ଆଜି ପୂର୍ବାହ୍ନରେ ଝାରବନ୍ଧର ବ୍ଲକ ଅଫିସ ପାଖ ଫୁଟବଲ ଖେଳ ପଡିଆରେ ଜନସଭା କରି ବିଜେପି ପାଇଁ ଧର୍ମେନ୍ଦ୍ର ପ୍ରଧାନ ଭୋଟ ମାଗିବେ । ଏହାପରେ ଅପରାହ୍ନରେ ପଦ୍ମପୁରର ଦୁଲାବାହାଲ ପଡିଆରେ ସମାବେଶ କରି ପ୍ରଚାର କରିବେ । ଲଗାତାର ୨ ଦୁଇ ଦିନ ହେଲା ପଦ୍ମପୁରରେ ପ୍ରଚାର କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଭୋଟ ମାଗୁଛନ୍ତି । ଆଉ ପ୍ରଚାର ରାଲିରୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ମୁଧ୍ୟ ସିଧାସଳଖ ଟାର୍ଗେଟ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ପଦ୍ମପୁରର ପ୍ରଚାର ତାତିକୁ ବଢାଇ ଦେଇଛି ।

ସେପଟେ ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରୁ ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ଯ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ ବିଜେଡି ସୁପ୍ରିମୋ । ବିଜେପି ପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ତେଣୁ ପଦ୍ମପୁର ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ଧାମନଗର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯାଇନଥିଲେ । ଭର୍ଚୁଆଲରେ ସେ ପ୍ରଚାର କରିଥିଲେ । ଏବେ ପଦ୍ମପୁରକୁ ପ୍ରଚାର ପାଇଁ ଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି ।