କନକ ବ୍ୟୁରୋ : ଓଡିଶା ଭଳି ରାଜ୍ୟରୁ ଏତେ ପରିମାଣରେ ନିଶା ଦ୍ରବ୍ୟ ଓ କଳା ଟଙ୍କା ଜବତ ହେବା ଖବର ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଓଡିଶା ନିଶାଦ୍ରବ୍ୟର ପେଣ୍ଠସ୍ଥଳ ପାଲଟିଥିବା ଧାରଣା ସୃଷ୍ଟି ହୋଇଥିଲା । ଆଉ ଏହାରି ଭିତରେ ନିର୍ବାଚନ ଆସିଥିବାରୁ ନିର୍ବାଚନ ଆୟୋଗ ଉଦବେଗ ପ୍ରକାଶ କରିଥିଲେ । ଓଡିଶାରେ ନଗଦ ଟଙ୍କା ଓ ଅବାଧ ନିଶା କାରବାର ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା କରିଥିଲେ । ତାପରେ ନିଜ ଟିମ ସହ ଆସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ସବୁ କାରବାରର ମୂଳକୁ ଚିହ୍ନଟ କରି ଆନ୍ତଃରାଜ୍ୟ କୋର୍ଡିନେସନ ଉପରେ ଗୁରୁତ୍ୱରୋପ କରିଥିଲେ । ତଥାପି ନଗଦ କଳାଟଙ୍କା ଓ ନିଶା କାରବାର ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ଏହାକୁ ରୋକିବା କମିସନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ।

Advertisment

କେବଳ ଏତିକି ନୁହେଁ ନିର୍ବାଚନ କମିସନଙ୍କ ପାଇଁ ଆହୁରି ଅନେକ ଚ୍ୟାଲେଞ୍ଜ ରହିଛି । ତାଲିକାଭୁକ୍ତ ମତଦାତା କିଭଳି ଅଧିକରୁ ଅଧିକ ମତଦାନ କରିବେ ତାହା ବି କମିସନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ରାଜ୍ୟରେ ପ୍ରାୟ ୧୦ଲକ୍ଷ ନୂଆ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଥିବାରୁ ସେମାନେ କିଭଳି ଅଧିକ ଉତ୍ସାହିତ ହେବେ ତା ଉପରେ ଧ୍ୟାନ ଦେବାକୁୁ ପଡିବ । ତ୍ରୁଟି ଶୂନ୍ୟ ନିର୍ବାଚନ ପରିଚାଳନା କମିସନଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ।

ବର୍ତମାନ ଓଡିଶାରେ ରାଜନୈତିକ ସମ୍ବେଦନଶୀଳତା ଦୃଷ୍ଟିରୁ ମତଦାତା କୌଣସି ଚାପର ବଶବର୍ତି ନହୋଇ ମତଦାନ କରିବେ ଓ ରାଜନୈତିକ ହିଂସା ନିୟନ୍ତ୍ରଣ ପାଇଁ କମିସନ ବେଶ ସଜାଗ ଅଛନ୍ତି ବୋଲି ଜଣାପଡିଛି ।