କନକ ବ୍ୟୁରୋ : ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ସୃଷ୍ଟି ହେଲା ଦ୍ୱନ୍ଦ୍ୱ । ଡ୍ରାଇଭର ସଂଘ ସହ ଆଲୋଚନା ପରେ ପରିବହନ କମିଶନର କହିଲେ, ଆଲୋଚନା ସଫଳ ହୋଇଛି । ହେଲେ ଡ୍ରାଇଭର ମହସଂଘ କମିଶନରଙ୍କ କଥାକୁ ଖଣ୍ଡନ କରିବା ସହ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । କେନ୍ଦ୍ରୀୟ ଆଇନକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟି କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ ଡ୍ରାଇଭରଙ୍କ ସହ ଆଜିଠାରୁ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବସ ଡ୍ରାଇଭର । ଯାହା ପାଇଁ ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ଡ୍ରାଇଭର ଗାଡି ଛାଡି ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଂଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ସେପଟେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ ହୋଇଛି । ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି । ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡିଂ ୭୫ ପ୍ରତିଶତ କମିଛି । କାଲି ମାତ୍ର ୨୫ ପ୍ରତିଶତ ଗାଡ଼ିରେ ତେଲ ଲୋଡିଂ ହୋଇଥିଲା । ଆଜି ପାରାଦୀପ ଡିପୋରୁ ତେଲ ଲୋଡିଂ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜଟଣୀ ଓ ବାଲେଶ୍ୱର ଡିପୋରୁ ମାତ୍ର ଅଳ୍ପ କିଛି ତେଲ ଲୋଡିଂ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହେବାର ସମ୍ଭାବନା ରହିଥିବା କହିଛନ୍ତି ଉକ୍ରଳ ପେଟ୍ରୋଲିୟମ୍ ଆସୋସିଏସନର ସାଧାରଣ ସମ୍ପାଦକ ସଂଜୟ ଲାଠ ।