ଆଜି ପୁଣି ଡ୍ରାଇଭର ସଂଘର ଷ୍ଟ୍ରିଅରିଂ ଛାଡ଼ : ମହାସଂଘ କହିଲା, ଠୋସ୍‌ ନିଷ୍ପତ୍ତି ନ ନେବା ଯାଏ ଜାରି ରହିବ ଆନ୍ଦୋଳନ

232

କନକ ବ୍ୟୁରୋ : ଡ୍ରାଇଭର ମିଳିତ ମହାସଂଘକୁ ବିରୋଧ ପ୍ରଦର୍ଶନ କରି ରାଜଧାନୀରେ ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ବୁଧବାର ବିରୋଧ ପ୍ରଦର୍ଶନ ବେଳେ ଡ୍ରାଇଭର ମହାସଂଘ ଏକ ପୋଷ୍ଟରରେ ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ବୋଲି ଲେଖିଥିଲେ । ଏହାକୁ ଅପମାନଜନକ ବୋଲି ଅଭିଯୋଗ କରିଛି ରାଜଧାନୀ ଅନଲାଇନ ଅଟୋ ଚାଳକ ସଂଘ । ସଂଘ ପ୍ରଶ୍ନ କରିଛି ମିଳିତ ମହାସଂଘର ଡ୍ରାଇଭରଙ୍କୁ ଏଭଳି କରିବାକୁ ଅନୁମତି ଦେଲା କିଏ । ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ପାଖରେ ଦାବି କରିବ ସଂଘ । ନହେଲେ ୧୦ ହଜାରରୁ ଅଧିକ ଚାଳକ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ରାଜଧାନୀ ଅନଲାଇନ ଅଟୋ ଚାଳକ ସଂଘ ।

ବ୍ଲକ୍‌, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି । ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି । କିଛି ସ୍ଥାନରେ ବସ୍‌, ଟ୍ରକ୍‌, ଟ୍ୟାକ୍ସି ଏବଂ ସର୍ବସାଧାରଣ ପରିବହନ ଯାନକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ । ଫଳରେ ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରାଞ୍ଚଳ ରାଜରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ବହୁ ସମୟ ଧରି ରାସ୍ତା ଜାମ୍‌ ସ୍ଥିତି ଉପୁଜିଥିଲା ।

ଯାତାୟାତରେ ବାଧା ଯୋଗୁଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ କିଛି ଡ୍ରାଇଭର୍‌ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି ।  ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ଗୁପ୍ତେଶ୍ବର ମହାନ୍ତି କହିଛନ୍ତି ଯେ ଏହି ଆନ୍ଦୋଳନ ଆଗକୁ ତୀବ୍ର ହେବ । ଚାଳକମାନଙ୍କ ପରିବାର ରାଜରାସ୍ତାକୁ ଓହ୍ଲାଇବେ । ଯେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର କୌଣସି ଠୋସ୍‌ ନିଷ୍ପତ୍ତି ନେଇ ନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।