ଓଡ଼ିଶା ଡ୍ରାଇଭର ମହାସଂଘର ପଦଯାତ୍ରା : ରାଜଧାନୀର ରାସ୍ତା ଜାମ୍, ଅଟକି ରହିଲା ହଜାର ହଜାର ଗାଡି

264

କନକ ବ୍ୟୁରୋ : ୧୦ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ଦାବି କରିଛିି ସଂଘ । ଏହି ପଦଯାତ୍ରାରେ ରାଜ୍ୟର ୩୦ ଜିଲ୍ଲାର ଡ୍ରାଇଭର ସାମିଲ ହୋଇଛନ୍ତି । ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହେବା ନିୟମକୁ ପରିବର୍ତନ କରିବାକୁ ଦାବି କରିଛି ମହାସଂଘ । ଏହା ସହ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି ।

ଦୁର୍ଘଟଣା ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବିରେ ଏହି ପଦ ଯାତ୍ରା କରୁଛି ମହାସଂଘ । ଏପରିକି ୬୦ ବର୍ଷରେ ପେନସନ ଦେବାକୁ ଦାବି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲା ମହାସଂଘ । ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଦାବି ପୂରଣ ନହେଲେ ଆଗାମି ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ ।

ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ରାଜଧାନୀର ରାସ୍ତା ଜାମ୍ । ବହୁ ସଂଖ୍ୟାରେ ଡ୍ରାଇଭର ପଦଯାତ୍ରା କରିବା ଯୋଗୁଁ ରାସ୍ତାଘାଟ ଜାମ ହୋଇଯାଇଥିଲା । ବିଶେଷକରି ଅଫିସ ଯିବାର ସମୟ ହୋଇଥିବାରୁ ଭିଡ ଅଧିକ ହୋଇଥିଲା । ଯେଉଁମାନେ ଘରୁ ବାହାରି ଆସିଥିଲେ, ସେମାନେ ବାଟରେ ଫସି ଯାଇଥିଲେ । ଯିଏ ଯେଉଁଠି ଥିଲେ ସେଇଠି ଅଟକି ଯାଇଥିଲେ । ରାସ୍ତାରେ ଅଟକି ରହିଥିଲା ହଜାର ହଜାର ଗାଡି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସକୁ ନାକେ ଦମ ହେବାକୁ ପଡିଛି ।