ବର୍ଷକୁ ୩୪୩ କୋଟିର ଚା’ ପିଉଛି ଓଡ଼ିଶା : ପରିବାର ପିଛା ମାସକୁ ୪୨ ଗ୍ରାମ

139

କନକ ବ୍ୟୁରୋ : ଚା’ ପ୍ରତି ଓଡ଼ିଶାବାସୀଙ୍କ ପ୍ରବଳ ଆଗ୍ରହ ରହିଛି । ବର୍ଷକୁ ସେମାନେ ୩୪୩.୭ କୋଟି ଟଙ୍କାର ଚା’ କିଣୁଛନ୍ତି । ଚା’ ଶିଳ୍ପର ଅଗ୍ରଣୀ ସଂସ୍ଥା ଟାଟା କଞ୍ଜ୍ୟୁମର୍‌ ପ୍ରଡକ୍ଟସ୍‌ ତରଫରୁ ଏହି ସୂଚନା ଦିଆଯାଇଛି । କଂପାନି ଦେଇଥିବା ସୂଚନା ଅନୁସାରେ, ପ୍ରତିବର୍ଷ ସାରା ଦେଶରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚା’ ବିକ୍ରି ହେଉଛି । ପ୍ରତିଷ୍ଠିତ ସଂଗଠିତ କ୍ଷେତ୍ରର କଂପାନିଗୁଡ଼ିକ ୧୭ ହଜାର କୋଟି ଟଙ୍କା ଓ ଅଣ ସଂଗଠିତ ଏବଂ ସ୍ଥାନୀୟ କଂପାନିଗୁଡ଼ିକ ବଳକା ୯୦୦୦ କୋଟି ଟଙ୍କାର ଚା’ ବିକ୍ରି କରୁଛନ୍ତି । ଓଡ଼ିଶାରେ ପ୍ରତି ପରିବାର ହାରାହାରି ଭାବେ ମାସକୁ ୪୨ ଗ୍ରାମ ଚା’ ବ୍ୟବହାର କରୁଥିବା ଜଣାପଡ଼ିଛି । ରାଜ୍ୟରେ ବିଭିନ୍ନ ପ୍ରକାର ଚା’ ବିକ୍ରି ହେଉଛି । କିନ୍ତୁ କଳା ରଙ୍ଗର ଚା’ର ବିକ୍ରି ସର୍ବାଧିକ ରହିଛି । ବିଭିନ୍ନ  ସ୍ୱାଦର ଗ୍ରିନ୍ ଟି’, ହର୍ବାଲ୍‌ ଟି’, ପ୍ରିମିୟମ୍ ମାନର ଟି’ ପାଉଚ୍‌ର ବିକ୍ରି ସୀମିତ ରହିଛି । ସ୍ୱାସ୍ଥ୍ୟ ସଚେତନ ଏବଂ କିଛି ନିର୍ଦିଷ୍ଟ ବର୍ଗର ଗ୍ରାହକ ଏହି ସ୍ୱତନ୍ତ୍ର ସ୍ୱାଦର ଚା’ ପିଉଛନ୍ତି ।

ଆଜି କଂପାନିର ବରିଷ୍ଠ ଉପସଭାପତି (ମାର୍କେଟିଂ) ପୁନିତ ଦାସ ଓଡ଼ିଶା ପାଇଁ ସ୍ବତନ୍ତ୍ର ଯୋଗାଯୋଗ ଅଭିଯାନ ଘୋଷଣା କରିବା ଅବସରରେ ଏହି ତଥ୍ୟ ଦେଇଛନ୍ତି । ସେ ଟାଟା ଟି’ ପ୍ରିମିୟମ୍‌ର ‘ଓଡ଼ିଶାର କଡକ୍‌ ଭାବ’ ଅଭିଯାନକୁ ଉନ୍ମୋଚନ କରିଛନ୍ତି । ରାଜ୍ୟର କୋଣ ଅନୁକୋଣରେ ଥିବା ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି କଂପାନି ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶାରେ ବିକ୍ରି ହେଉଥିବା ଟାଟା ଟି’ ପ୍ରିମିୟମ୍ ପ୍ୟାକେଟ୍‌ରେ କଂପାନି ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ ଚିତ୍ରକୁ ମଧ୍ୟ ସ୍ଥାନ ଦେଇଛି । ଟାଟା ଟି ପ୍ରିମିୟମ୍‌ ପ୍ୟାକେଟ୍‌ରେ ଓଡ଼ିଶୀ ନୃତ୍ୟ ଶୈଳୀ, ଧଉଳି ଶାନ୍ତିସ୍ତୁପ ଓ କୋଣାର୍କ ମନ୍ଦିର ଛବିକୁ ବ୍ୟବହାର କରାଯାଇଛି । ସେହିପରି ପ୍ୟାକେଟ୍‌ରେ ଓଡ଼ିଆରେ ଲେଖାଯାଇଛି ‘ଓଡ଼ିଶାର କଡ଼ା ଚା’ । ଓଡ଼ିଶା ବଜାରରେ ଟାଟା କଞ୍ଜ୍ୟୁମର୍‌ ପ୍ରଡକ୍ଟସ୍‌ର ୬୮.୩ ପ୍ରତିଶତ ଭଳି ସିଂହ ଭାଗ ଅଂଶ ରହିଛି । ରାଜ୍ୟବାସୀଙ୍କ ଦ୍ୱାରା ଟାଟା ଟି ପ୍ରିମିୟମ୍, ଟାଟା ଟି ଅଗ୍ନି, ଟାଟା ଟି ଇଲାଇଚି, ରେଡ୍‌ ଲାବେଲ୍‌, ଏଭିଟି ଏବଂ ଏଭର୍‌ଗ୍ରିନ୍ ବିଶେଷ ଭାବେ ଗ୍ରହଣୀୟ ହୋଇଥିବା ସେ କହିଛନ୍ତି । ନିକଟରେ କଂପାନି ତୁଳସୀ ସ୍ବାଦର ଚା’ ବଜାରକୁ ଆଣିଛି ବୋଲି ସେ କହିଛନ୍ତି ।