ଲକ୍‌ଡାଉନ୍‌ ବେଳେ ଦେଶକୁ ଅନ୍ନ ଯୋଗାଉଛି ଓଡ଼ିଶା । ପଶ୍ଚିମ ଓଡ଼ିଶାର ବିଭିନ୍ନ ଷ୍ଟେସନ୍‌ରୁ ପୂର୍ବ ଓ ଦକ୍ଷିଣ ଭାରତକୁ ଯାଉଛି ଚାଉଳ ।

416

କନକ ବ୍ୟୁରୋ : ଲକ୍‌ଡାଉନ୍‌ ଯୋଗୁଁ ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ବେଳେ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ଏବେ ଲୋକଙ୍କର ସବୁଠୁ ବଡ଼ ଆବଶ୍ୟକତା ପାଲଟିଛି । ଅନେକ ସ୍ଥାନରେ ଏସବୁର ଅଭାବ ସୃଷ୍ଟି ହୋଇଛି । ଏଭଳି ସମୟରେ ଦେଶର ବହୁ ରାଜ୍ୟକୁ ଅନ୍ନ ଓ ବିଜୁଳି ଯୋଗାଉଛି ଓଡ଼ିଶା । ଓଡ଼ିଶାର ଭାତହାଣ୍ଡି କୁହା ଯାଉଥିବା ପଶ୍ଚିମ ଓଡ଼ିଶା କେବଳ ଆମ ରାଜ୍ୟବାସୀଙ୍କ ପାଇଁ ଅନ୍ନର ବ୍ୟବସ୍ଥା କରୁଛି ତାହା ନୁହେଁ, ଆହୁରି ଅନେକ ରାଜ୍ୟକୁ ମଧ୍ୟ ଚାଉଳ ଯୋଗାଉଛି । ବିଶେଷ କରି ବର୍ତ୍ତମାନର ଜରୁରୀ ସ୍ଥିତିରେ ଦକ୍ଷିଣ ଓ ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପଶ୍ଚିମ ଓଡ଼ିଶାରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଉଳ ପଠାଯାଉଛି । ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛି ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୨ରୁ ୨୯ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଷ୍ଟେସନ୍‌ରୁ ୮ଟି ରୢାକ୍‌ ଜରିଆରେ ବାହାର ରାଜ୍ୟକୁ ୨୦ ହଜାର ଟନ୍‌ରୁ ଅଧିକ ଚାଉଳ ପଠାଯାଇଛି । ହୀରାକୁଦ, ବରଗଡ଼ ରୋଡ୍, ଡୁଙ୍ଗୁରିପାଲି, ବଲାଙ୍ଗୀର ଆଦି ଷ୍ଟେସନ୍‌ରୁ ବିହାର ଓ ଝାଡ଼ଖଣ୍ଡର ସରାଇ, କଟିହାର, ଟାଟା, କର୍ପୁରୀଗ୍ରାମ, ତଟିସିଲୱାଇ/ନାମକୋନ୍‌, ଯସିଡିହି/ମଧୁପୁର, ଦୁମ୍‌କା ଆଦି ଷ୍ଟେସନ୍‌କୁ ଚାଉଳ ପଠାଯାଇଛି । ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଥିବା ଏଫ୍‌ସିଆଇ ଗୋଦାମ ଗୁଡ଼ିକରୁ ଏହି ଚାଉଳ ପଠାଯାଉଛି । ଉପରୋକ୍ତ ଷ୍ଟେସନ୍‌ଗୁଡ଼ିକ ବ୍ୟତୀତ ଟିଟିଲାଗଡ଼, କଣ୍ଟାବାଞ୍ଜି, ଜୁନାଗଡ଼ ରୋଡ୍ ଆଦି ଷ୍ଟେସନ୍‌ ସାଇଡିଂରୁ ବିଭିନ୍ନ ରାଜ୍ୟକୁ ଚାଉଳ ପଠାଯାଉଛି । ପଶ୍ଚିମ ଓଡ଼ିଶାରୁ ରାଜ୍ୟ ବାହାରକୁ ଚାଉଳ ଯିବା ଏକ ନିୟମିତ ବିଷୟ ହୋଇଥିଲେ ବି ସଂକଟ ସମୟରେ ଏଠାରେ ଗଚ୍ଛିତ ଥିବା ଚାଉଳ ତତ୍କାଳ ପଠାଯିବା ଦ୍ବାରା ଅନେକ ରାଜ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇ ପାରିଛି । ଜନତା କର୍ଫ୍ୟୁର ଦିନକ ପୂର୍ବରୁ ଅର୍ଥାତ୍‌ ୨୧ ତାରିଖ ରାତିରେ ଦକ୍ଷିଣ ଭାରତୀୟ ରାଜ୍ୟ ବିଶେଷ କରି ତାମିଲନାଡୁକୁ ପଶ୍ଚିମ ଓଡ଼ିଶାରୁ ପ୍ରଚୁର ପରିମାଣରେ ଚାଉଳ ପଠା ଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି ।

କେବଳ ଅନ୍ନ ନୁହେଁ ‌ସଂକଟ ସମୟରେ ଦେଶକୁ ନିରବିଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇବାରେ ବି ଓଡ଼ିଶା ପ୍ରମୁଖ ଭୂମିକା ତୁଳାଇଛି । ତାଳଚେର ଓ ଇବ୍‌ଭ୍ୟାଲି କୋଇଲା ଖଣି ଅଞ୍ଚଳରୁ ଅନ୍ୟ ରାଜ୍ୟର ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ନିରନ୍ତର କୋଇଲା ପ୍ରେରଣ ଅବ୍ୟାହତ ରହିଛି । ଫଳରେ ଦେଶର ବହୁ ମହାନଗର ସମେତ ବିଭିନ୍ନ ରାଜ୍ୟ ଆଲୋକିତ ହୋଇରହିଛି । ୨୨ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାରୁ ୬୬୯ ରୢାକ୍‌ କୋଇଲା ରେଳ ଯୋଗେ ବାହାର ରାଜ୍ୟକୁ ପ୍ରେରଣ କରାଯାଇଛି । ୨୧ ଦିନର ଲକଡାଉନ୍‌ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଏକ ଆହ୍ବାନଭାବେ ଗ୍ରହଣ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

Comments are closed.