କନକ ବ୍ୟୁରୋ :  ପୁଅର ମୃତ୍ୟୁ ଖବର ଶୁଣିବା ପରେ କୋହ ସମ୍ଭାଳି ପାରୁ ନାହାନ୍ତା ବାପା। ବୋହୂକୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିବା ଡାକ୍ତର ପୁଅ ଆଉ ଫେରିବ ନାହିଁ ବୋଲି କେବେ କଳ୍ପନା କରିନଥିଲେ। କେରଳ ୱାଏନାଡ ଭୂସ୍ଖଳନରେ ନିଖୋଜ ପୁଅର ମୃତ୍ୟୁ ହୋଇଥିବା ଜାଣି ତାଙ୍କ ପାଦତଳୁ ମାଟି ଖସିଯାଇଛି।

Advertisment

ଓଡିଆ ଡାକ୍ତରଙ୍କ ମୃତ୍ୟୁ 

କେରଳ ଭୂସ୍ଖଳନରେ ଓଡିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତ୍ୟୁ ହୋଇଛି

ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ

ଖବର ହସ୍ତଗତ ହେବା ପରେ କେରଳ ବାହାରିଛି ଓଡିଶା ସରକାରଙ୍କ ୨ ଜଣିଆ ଟିମ୍

ଏହି ଟିମରେ ଜଣେ ଡାକ୍ତର ଓ ଜଣେ ପ୍ରଶାସନିକ ଅଧିକାରୀ ରହିଛନ୍ତି

ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲଙ୍କୁ ଧରି ଗତ ୨୬ ତାରିଖରେ ବେଙ୍ଗାଳୁରୁରେ ଏକ କନଫରେନ୍ସରେ ଯୋଗଦେବାକୁ ବାହାରିଥିଲେ ଚୌଦ୍ୱାର ଚାରବାଟିଆ ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରା। ସାଙ୍ଗରେ ଥିଲେ ଡାକ୍ତର ସ୍ୱାଧୀନ ପଣ୍ଡା ଓ ଡାକ୍ତର ସ୍ୱୀକୃତି ମହାପାତ୍ର। ପାହାଡିଆ ଅଞ୍ଚଳକୁ ଯିବୁ ନାହିଁ ବୋଲି ବାପାଙ୍କ ବାରଣ ସତ୍ବେ ବେଙ୍ଗାଳୁରୁ ପରେ କେରଳ ୱାଏନାଡରେ ପହଞ୍ଚିଥିଲେ ସମସ୍ତେ। ସେଠାରେ ଲିନରା ଭିଲ୍ଲାରେ ରହିଥିଲେ।

୨୯ ତାରିଖ ରାତିରେ ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ଯୋଗୁ ମାଟି ମିଶା ବନ୍ୟା ପାଣି ମାଡ଼ି ଆସିଥିଲା। ସମସ୍ତେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ପରେ ପ୍ରିୟଦର୍ଶିନୀ ପାଲ ଓ ସ୍ୱୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଏବେ କେରଳର ଡକ୍ଟର ମୋଫେଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଆଜି ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସ୍ୱାଧୀନଙ୍କ ପତ୍ତା ମିଳୁନାହିଁ। ଝାରସୁଗୁଡା ଅଞ୍ଚଳର ଡାକ୍ତର ସ୍ୱୀକୃତି ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜରେ ପିଜି ଶେଷବର୍ଷର ଛାତ୍ରୀ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଜାଣି ପରିବାର ଲୋକ ଆଶ୍ୱସ୍ତ ହୋଇଛନ୍ତି। ସ୍ୱୀକୃତିଙ୍କ ଦୁଇ ଭଉଣୀ ଓ ଜଣେ ସଂପର୍କୀୟ ୱାଏନାଡ ବାହାରିଥିବା କହିଛନ୍ତି ସ୍ୱୀକୃତିଙ୍କ ବାପା।

ୱାଏନାଡ ଭୂସ୍ଖଳରେ ମୃତ୍ୟୁ ସଂଖ୍ୟା ୧୫୦ ଟପିଲାଣି। ମାଟି ଅତଡା ତଳେ ଅନେକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।