ଜାଡରେ ଥରୁଛି ସାରା ଓଡିଶା: ରାତି ବଢ଼ିଲେ ବଢ଼ୁଛି ଥଣ୍ଡା,୧୮ ଜିଲ୍ଲାରେ ଅରେଂଜ ଓ ୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ନିରାଶ୍ରୟଙ୍କ ଆଶ୍ରୟ ପାଇଁ ରାତିରେ ସ୍କୁଲ, ପଂଚାୟତ ଓ ତହସିଲ ଘର ଖୋଲା ରଖିବାକୁ ଏସଆରସିଙ୍କ ନିର୍ଦ୍ଦେଶ

457

କନକ ବ୍ୟୁରୋ: ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ରାତି ବଢ଼ିଲେ ବଢ଼ୁଛି ଥଣ୍ଡା । ତାସାଙ୍ଗକୁ ସକାଳୁ ସକାଳୁ ଶୀତ ଲହରୀ ବହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ମୟୂରଭଂଜଠୁ ମାଲକାନଗିରି, ସମ୍ବଲପୁରରୁ ଜଗତସିଂହପୁର ଯାଏଁ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅରେଞ୍ଜ ୱାର୍ଣ୍ଣିଂ ଜାରି କରଯାଇଥିବା ଜିଲ୍ଳା ଗୁଡିକ ହେଉଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଦା, ପୁରୀ,ନୟାଗଡ, ବୌଦ୍ଧ, ସୋନପୁର,ବଲାଙ୍ଗୀର । ଏହି ସବୁ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ସେହିପରି ଉତ୍ତରଓଡିଶାର ଆଭ୍ୟନ୍ତରୀଣ ଅଂଚଳ, ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଏହା ସହିତ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଳାର କେତେକ ସ୍ଥାନରେ ଘନ କୁହୁଡି ପଡିବାର ଆଶଙ୍କା ରହିଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ପଶ୍ଚିମ ଓଡିଶାରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି । ଥଣ୍ଡାର ମାତ୍ରା ରେକର୍ଡ ଭାଙ୍ଗିଛି । ଏହି ଜାଡରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ସେକି ହେଉଛନ୍ତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନିଆଁ ପାଖରେ ଏକାଠି ହୋଇଛନ୍ତି । ତେବେ ଥଣ୍ଡାର ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ନିରାଶ୍ରୟଙ୍କ ଆଶ୍ରୟ ପାଇଁ ରାତିରେ ପଂଚାୟତ ଘର,ସ୍କୁଲ, ତହସିଲ ଅଫିସ ଖୋଲା ରଖିବାକୁ ଆଡଭାଇଜରୀ ଜାରି କରିଛନ୍ତି ଏସଆରସି ।