ଛାତ୍ର ଓ ଯୁବ ସଂଗଠନରେ ଦାୟିତ୍ୱ ଘୋଷଣା ପରେ ତେଜିଲା ଅସନ୍ତୋଷ । ଖୋଲାଖୋଲି ସମାଲୋଚନା କଲେ ପୂର୍ବତନ ସାଧାରଣ ସମ୍ପାଦକ, ଦଳରୁ ହେଲେ ବହିଷ୍କାର ।

724

କନକ ବ୍ୟୁରୋ : ବିଜୁ ଛାତ୍ର ଓ ଯୁବ ଜନତା ଦଳରେ ନୂଆ କରି ଦାୟିତ୍ୱ ମିଳିଥିବା ନେତାଙ୍କୁ ନେଇ ଅସନ୍ତୋଷ ତେଜିଛି । ଦଳୀୟ ନିଷ୍ପତିକୁ ଖୋଲାଖୋଲି ବିରୋଧ କରି ଆଜି ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ କଳ୍ପତରୁ ଓଝା । ଏହାପରେ ତାଙ୍କୁ ବହିଷ୍କାର କରାଯାଇଛି । ସେପଟେ ଅଭିଯୋଗ ହୋଇଛି ଯେ, ନେତୃତ୍ୱ ଚୟନ ଠିକ୍ ଭାବେ ହୋଇନାହିଁ ଏବଂ ନେତାଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନ ମିଳିଛି ।

ଛାତ୍ର ବିଜେଡି ଏବଂ ବିଜୁ ଯୁବ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଦାୟିତ୍ୱ ଘୋଷଣା ପରେ ଅସନ୍ତୋଷ ଦେଖାଦେଇଛି । କିଛି ଛାତ୍ର ନେତା ଖୋଲାଖୋଲି ଦଳୀୟ ନିଷ୍ପତିକୁ ବିରୋଧ କରି କହିଛନ୍ତି, ନେତୃତ୍ୱ ଚୟନ ଠିକ୍ ଭାବରେ ହୋଇନାହିଁ, ଅନଭିଜ୍ଞ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଯେଉଁମାନେ କିଛି ଜାଣିନାହାନ୍ତି ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ରଖାଯାଇଛି ।

କଳ୍ପତରୁଙ୍କ ଏପରି ଖୋଲା ଅସନ୍ତୋଷ ପରେ ଦଳ ପଦକ୍ଷେପ ନେଇଛି ଓ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ।

ଏବେ ନଜର ପକାନ୍ତୁ ଛାତ୍ର ଓ ଯୁବ ସଂଗଠନରେ କେଉଁ ନେତାଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନ ମିଳିଛି
-ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀଙ୍କୁ ରାଜ୍ୟ ଛାତ୍ର ବିଜେଡିର ସଭାପତି ଦାୟିତ୍ୱ ମିଳିଛି
-ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତୁରା କନିଷ୍କ ଜେନାଙ୍କୁ ବିଜୁ ଯୁବ ଜନତା ଦଳର ସମ୍ପାଦକ ପଦ ଦିଆଯାଇଛି ।
-ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ସେପଟେ ଆଗକୁ ତିର୍ତ୍ତୋଲ ଏବଂ ବାଲେଶ୍ୱରରେ ଉପନିର୍ବାଚନ ଥିବା ବେଳେ ଜିଲ୍ଲା ଯୁବ ଓ ଛାତ୍ର ସଂଗଠନ କିଏ ସମ୍ଭାଳିବ ସେନେଇ କୌଣସି ନିଷ୍ପତି ହୋଇପାରିନାହିଁ ।