ଉପ-ମୁଖ୍ୟମନ୍ତ୍ରୀ ପଦ କଣ ଜାଣିଛନ୍ତି କି? ସମ୍ବିଧାନରେ ରହିଛି କି ଉପ-ମୁଖ୍ୟମନ୍ତ୍ରୀ ପଦ? କେମିତି ଓ କାହିଁକି ସୃଷ୍ଟି ହେଲା ଏହି ପଦବୀ? ପଢନ୍ତୁ, ‘ଉପ-ମୁଖ୍ୟମନ୍ତ୍ରୀ’ ପଦ ପଛର ପୂରା କାହାଣୀ

3,968

କନକ ବ୍ୟୁରୋ: ଓଡିଶାରେ ମଧ୍ୟପ୍ରଦେଶ, ଛତିଶଗଡ ଆଉ ରାଜସ୍ଥାନ ଭଳି ସରକାର ଗଠନର ଫର୍ମୁଲା ଆପଣାଇଛି ବିଜେପି । ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗକୁ ଶପଥ ଗ୍ରହଣ କରିଛନ୍ତି ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ହେଲେ ଏବେ ଚର୍ଚ୍ଚା ହେଉଛି, ଆମ ସମ୍ବିଧାନରେ କଣ ସତରେ ‘ମୁଖ୍ୟମନ୍ତ୍ରୀ’ ପଦ ଭଳି ‘ଉପ-ମୁଖ୍ୟମନ୍ତ୍ରୀ’ ପଦ ରହିଛି? ନା ସତ୍ତାର ସମୀକରଣରେ ଏଭଳି କିଛି ପଦ ଆପେ ଆପେ ସୃଷ୍ଟି ହେଇଛି ।

ଓଡିଶାରେ ବିଜେପି ସରକାର ଗଠନ କରିବା ପୂର୍ବରୁ ମଧ୍ୟପ୍ରଦେଶ, ଛତିଗଡ ଓ ରାଜସ୍ଥାନରେ ମଧ୍ୟ ସମାନ ଫର୍ମୁଲାରେ ସରକାର ଗଢିଥିଲା । ସେଠାରେ ବି ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗକୁ ଦୁଇ ଜଣ ନେତା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଖାଲି ସେତିକି ନୁହେଁ, ବିହାର ଆଉ ମହାରାଷ୍ଟ୍ରରେ ମଧ୍ୟ ସେହି ସମାନ ଘଟଣା ଦେଖିବାକୁ ମିଳିଥିଲା । ଯାହା ପରେ ଏବେ ଏହି ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଲୋଚନା ଆରମ୍ଭ ହେଇଛି ।

କେଉଁ କେଉଁ ରାଜ୍ୟରେ ଅଛନ୍ତି ଉପ-ମୁଖ୍ୟମନ୍ତ୍ରୀ?

ବର୍ତ୍ତମାନ ଆମ ଦେଶର ୧୪ଟି ରାଜ୍ୟରେ ୨୩ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ସହ ତେଲେଙ୍ଗାନାରେ ଜଣେ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀ ରହିଥିବାବେଳେ । ବାକି ୯ଟି ରାଜ୍ୟ ଯଥାକ୍ରମେ- ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ, ରାଜସ୍ଥାନ, ଉତ୍ତର ପ୍ରଦେଶ ସହିତ ଓଡିଶାରେ ଦୁଇ ଜଣ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ଉପ-ମୁଖ୍ୟମନ୍ତ୍ରୀ ପଦ ଥାଏ କି?

ସମ୍ବିଧାନର ଅନୁଚ୍ଛେଦ ୧୬୩ ଏବଂ ୧୬୪ରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ଗଠନ ନେଇ ନିୟମ ରହିଛି । ଅନୁଚ୍ଛେଦ ୧୬୩(୧) ଅନୁସାରେ ରାଜ୍ୟପାଳଙ୍କୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀମଣ୍ଡଳ ରହିବ । ନିୟମ ମୁତାବକ, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିବେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ମନ୍ତ୍ରୀମଣ୍ଡଳର ନିଯୁକ୍ତି ମଧ୍ୟ ରାଜ୍ୟପାଳ କରିବେ । ହେଲେ ସମ୍ବିଧାନରେ କିନ୍ତୁ ଉପ-ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ନେଇ ସେଭଳି କୌଣସି ବି କଥା ଉଲ୍ଲେଖ ନାହିଁ । ତେଣୁ ଉପ-ମୁଖ୍ୟମନ୍ତ୍ରୀ ପଦକୁ କ୍ୟାବିନେଟ୍ ମନ୍ତ୍ରୀ ବୋଲି ଗ୍ରହଣ କରାଯାଇଥାଏ । ଉପ-ମୁଖ୍ୟମନ୍ତ୍ରୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ସମାନ ଦରମା ଏବଂ ସୁବିଧା ମଧ୍ୟ ମିଳିଥାଏ ।

ଉପ-ମୁଖ୍ୟମନ୍ତ୍ରୀ ପଦ ଅସମ୍ବିଧାନିକ କି?

ଚଳିତ ବର୍ଷ ସୁପ୍ରିମକୋର୍ଟ ଉପ-ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ନେଇ ଫେବ୍ରୁଆରୀ ୧୨ ତାରିଖରେ ଏକ ଫଇସଲା ଶୁଣାଇଥିଲେ । ଯେଉଁଥିରେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ କହିଥିଲେ ଯେ, ଉପ-ମୁଖ୍ୟମନ୍ତ୍ରୀ ପଦ ଅସମ୍ବିଧାନିକ ନୁହେଁ ।

ଅସଲରେ ସୁପ୍ରିମକୋର୍ଟରେ ଉପ-ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ନେଇ ଏକ ଯାଚିକା ଦାୟର କରାଯାଇଥିଲା । ଯେଉଁଥିରେ ଏହି ପଦରେ ନିଯୁକ୍ତିକୁ ରୋକିବାକୁ ଅନୁରୋଧ କରାଯାଇଥିଲା । ଆବେଦନର ଦାବି କରାଯାଇଥିଲା ଯେ, ସମ୍ବିଧାନରେ ଉପ-ମୁଖ୍ୟମନ୍ତ୍ରୀ ବୋଲି କିଛି ପଦ ନାହିଁ । ସମ୍ବିଧାନର ଅନୁଚ୍ଛେଦ ୧୪କୁ ଏହା ଉଲ୍ଲଙ୍ଘନ କରୁଛି । ହେଲେ ଏହି ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ୍ ।

କେମିତି ଆରମ୍ଭ ହେଇଥିଲା ଉପ-ମୁଖ୍ୟମନ୍ତ୍ରୀ ପଦ?

ବର୍ତ୍ତମାନ ସାଧାରଣତଃ ମେଣ୍ଟ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ପଦରେ ନେତାଙ୍କୁ ନିଯୁକ୍ତ କରାଯାଇଥାଏ । ହେଲେ ଭାରତର ପ୍ରଥମ ଉପ-ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅନୁଗ୍ରହ ନାରାୟଣ ସିହ୍ନା । ସ୍ୱାଧୀନତା ପରଠାରୁ ୧୯୫୭ ମସିହା ପର୍ଯ୍ୟନ୍ତ ସେ ବିହାର ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେଇଥିଲେ । ତାଙ୍କ ପରେ ୧୯୬୭ରେ କର୍ପୁରୀ ଠାକୁର ବିହାର ଦ୍ୱିତୀୟ ଉପ-ମୁଖ୍ୟମନ୍ତ୍ରୀ ହେଇଥିଲେ ।

୧୯୬୭ ମସିହା ପରେ କଂଗ୍ରେସ ଯେତେବେଳେ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଥିଲା । ସେତେବେଳେ ଅନେକ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପଦରେ ନେତାଙ୍କୁ ନିଯୁକ୍ତ କରିଥିଲା । ସେତେବେଳେ ୧୯୬୭ ମସିହାରେ ଉତ୍ତରପ୍ରଦେଶର ଚୌଧୁରୀ ଚରଣ ସିଂହଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେଇଥିଲେ ରାମ ପ୍ରକାଶ ଗୁପ୍ତା । ସେହିପରି ମଧ୍ୟପ୍ରଦେଶରେ ଜନସଂଘର ନେତା ବୀରେନ୍ଦ୍ର କୁମାର ସକଳେଚା ପ୍ରଥମ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୬୭ରେ ସେ ଗୋବିନ୍ଦ ନାରାୟଣ ସିଂହ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ହେଇଥିଲେ ।

ଓଡିଶାରେ ମଧ୍ୟ ଏହା ପୂର୍ବରୁ ୩ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୀଳମଣି ରାଉତରାୟ ତାଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାଳରେ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ ଦୀର୍ଘ ୨୫ ପରେ ପୁଣିଥରେ ଓଡିଶାରେ ଆରମ୍ଭ ହେଇଛି ଏହି ଉପ-ମୁଖ୍ୟମନ୍ତ୍ରୀ ପରମ୍ପରା । କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ରାଜ୍ୟର ନୂଆ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।