କନକ ବ୍ୟୁରୋ : ନୀତି ଆୟୋଗଙ୍କ ସହ ବସିଥିବା ରାଜ୍ୟ ସରକାରଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଅନେକ ଗୁଡିଏ ଦାବି ରଖିଛନ୍ତି । ଅନ୍ୟପଟେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି କାର୍ଯ୍ୟ କରୁଛି ସେଥିପାଇଁ ନୀତି ଆୟୋଗ ଉପାଧ୍ୟକ୍ଷ ମଧ୍ୟ ରାଜ୍ୟକୁ ପ୍ରଂଶସା କରିଛନ୍ତି । ଏହି ବୈଠକରେ ନବୀନ କହିଛନ୍ତି ଯେ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ବହୁତ ଉନ୍ନତି କରିଛି । ତେବେ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ବିକାଶ ପାଇଁ ନୀତି ଆୟୋଗର ସହାୟତା ଆବଶ୍ୟକ ବୋଲି କହିଛନ୍ତି ନବୀନ । ଓଡ଼ିଶା ସବୁବେଳେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । କିନ୍ତୁ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ତେଣୁ ଏ ଦିଗରେ ଦୃଷ୍ଟି ଦେବାକୁ ନୀତି ଆୟୋଗ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଅନ୍ୟପଟେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଓଡ଼ିଶାର ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ କରିବ ନୀତି ଆୟୋଗ । ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି ଏବଂ ଖଣିରେ ଉନ୍ନତି ସହିତ ବିତ୍ତୀୟ ନିଅଣ୍ଟକୁ ପାଞ୍ଚ ପ୍ରତିଶତରୁ କମ୍ ପରିଚାଳନା ପାଇଁ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏହାକୁ ଆଗେଇ ନେବାକୁ ଏସଡ଼ିଜି ମନୀଟରିଙ୍ଗ ୟୁନିଟ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜୀବ କୁମାର ।

ଏହାବାଦ୍ ରାଜ୍ୟରେ କୀଟନାଶକ ମୁକ୍ତ କୃଷିକୁ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟର ନିଜର ପ୍ରାଥମିକତା ଏବଂ ନିର୍ଦ୍ଦିଷ୍ଟତା ରହିଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ରାଜ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ବିକାଶ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନୀତି ଆୟୋଗ ଓଡିଶା ସହ ସହଭାଗୀ ହେବାକୁ ଆଗ୍ରହୀ ରହିଛି ।