ଖାଲି ନାଁକୁ ଦଳ ଅଲଗା, କିନ୍ତୁ ବାପ-ପୁଅ ଏକାଠି: ଏବେବି ପାରାଦୀପ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ବିଜେପି ନେତା ଦାମୋଦର ରାଉତ

539

କନକ ବ୍ୟୁରୋ: ଖାଲି ନାଁକୁ ବାପ-ପୁଅ ଅଲଗା ଦଳରେ ଅଛନ୍ତି। ଏବେ ବି ପାରାଦୀପ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତ। ଏଭଳି ଚର୍ଚ୍ଚା ଏବେ ପାରାଦୀପ ରାଜନୀତିକୁ ସରଗରମ କରିଛି। ଦାମ ବିଜେପିରେ ସାମିଲ ହୋଇ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେବା ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟ ପାରାଦୀପରୁ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ଜିତିବା ପରେ ପାରାଦୀପ ରାଜନୀତିରେ କିଛି ପରିବର୍ତ୍ତନ ହେବ ବୋଲି ଯାହା ଆଶା କରାଯାଉଥିଲା। ମାତ୍ର ତାହାର ବିପରୀତ ଦେଖିବାକୁ ମିଳୁଛି। ବର୍ତ୍ତମାନ ସ୍ଥିତିରେ ପୁଅ ସମ୍ବିତଙ୍କ ଜରିଆରେ ଦାମ ପାରାଦୀପ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଆଲୋଚନା ହେଉଛି। କୁଜଙ୍ଗ ପଞ୍ଚାୟତ ସମିତି ବୈଠକ ପୂର୍ବରୁ ବ୍ଲକ୍ ଅଧ୍ୟକ୍ଷ, ବିଡିଓ ଓ ତହସିଲଦାରଙ୍କ ସହ ଦାମଙ୍କ ରୁଦ୍ଧଦ୍ବାର ବୈଠକ ପରେ ପାରାଦୀପ ପୌରପାଳିକା ଓ କୁଜଙ୍ଗରେ ବିଧାୟକ ସମ୍ବିତଙ୍କ ପ୍ରତିନିଧି ଭାବେ ତାଙ୍କ ଅନୁଗତମାନଙ୍କୁ ଥଇଥାନ, ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

କୁଜଙ୍ଗ ପାଇଁ ପୂର୍ବତନ ବ୍ଲକ୍ ସଭାପତି ଚିତ୍ତରଂଜନ ମିଶ୍ରଙ୍କୁ ସମ୍ବିତ ତାଙ୍କ ପ୍ରତିନିଧି ଭାବେ ଚୟନ କରିଛନ୍ତି। ଚିତ୍ତରଂଜନ ପ୍ରଥମରୁ ହିଁ ଦାମଙ୍କ ସହ ରହି ଆସିଛନ୍ତି। ଏମିତିକି ବିଜେଡିରୁ ଦାମଙ୍କୁ ନିଲମ୍ବନ କରାଯିବା ପରେ ମଧ୍ୟ ସେ ତାଙ୍କୁ ଛାଡ଼ି ନ ଥିଲେ। ଏହି ସମୟରେ ପାରାଦୀପ ରାଜନୀତିରେ ପତିଆରା ଦେଖାଇଥିବା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଇଙ୍ଗିତରେ ସେତବେଳେ କୁଜଙ୍ଗ ବ୍ଲକ୍ ସଭାପତି ଥିବା ଚିତ୍ତରଂଜନଙ୍କୁ ପରିବର୍ତ୍ତନ କରି ନରେନ୍ଦ୍ର ପରିଡ଼ାଙ୍କୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ସମ୍ବିତ ବିଧାୟକ ହେବା ପରେ ଚିତ୍ତରଂଜନଙ୍କୁ ତାଙ୍କର ପ୍ରତିନିଧି ଭାବେ ବାଛିଛନ୍ତି। ଦାମଙ୍କ ସୁପାରିସରେ ଚିତ୍ତରଂଜନ ପଦ ଫେରି ପାଇଥିବା କୁହାଯାଉଛି।

ସେହିପରି ପାରାଦୀପ ପୌରପାଳିକା ପ୍ରତିନିଧି ଭାବେ ରଶ୍ମିରଂଜନ ପରିଡ଼ାଙ୍କୁ ସମ୍ବିତ ନିଯୁକ୍ତି ଦେଇଛନ୍ତି। ରଶ୍ମିରଂଜନଙ୍କ ବାପା କିଶୋର କୁମାର ପରିଡ଼ା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଥିଲେ। ଦାମଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଖୁବ୍ ନିବିଡ଼। ଦଳରୁ ବିଦା ହେବା ପରେ ଦାମ ଯେତେବେଳେ ପାରାଦୀପରେ ଅଛୁଆଁ ହୋଇ ପଡ଼ିଥିଲେ ସେତେବେଳେ କିଶୋର ହିଁ ତାଙ୍କ ସହ ଥିଲେ। ଅନ୍ୟପକ୍ଷରେ ପାରାଦୀପରେ ଦୀର୍ଘ ବର୍ଷ ହେଲା ଯେଉଁ ନେତାମାନଙ୍କ ହାତରେ ଲଗାମ ରହିଥିଲା ପ୍ରତିନିଧି ଚୟନ କରିବା ସମୟରେ ସେମାନଙ୍କ ସହ ସମ୍ବିତ ବିଚାର ବିମର୍ଶ କରିନଥିବା ମଧ୍ୟ ଜଣାପଡ଼ିଛି।

ପୂର୍ବରୁ ପାରାଦୀପ ବସଷ୍ଟାଣ୍ତରେ ନର୍ମିତ ବିଶ୍ରାମ କକ୍ଷର ଉଦ୍ଘାଟନକୁ ନେଇ ହୋଇଥିବା ରାଜନୀତି କାହାକୁ ଅଛପା ନାହିଁ। ବିଧାୟକ ସମ୍ବିତଙ୍କ ଅନୁପସ୍ଥିତିରେ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ନଗର ବିଜେଡି ସମ୍ପାଦକ ବସନ୍ତ ବିଶ୍ବାଳ ଏହାକୁ ଉଦ୍ଘାଟନ କରିବା ପାଇଁ ଯୋଜନା କରି ଫଳକ ମାରିଥିଲେ। ପରେ ବିଧାୟକଙ୍କ ଅନୁଗତ ଓ କିଛି ପାରିଷଦ ଏହାକୁ ବିରୋଧ କରିବାରୁ ଉକ୍ତ ଫଳକକୁ ସେଠାରୁ ହଟାଇ ଦିଆଯାଇଥିଲା। ଏହି ଘଟଣା ପରେ ବିଜୁ ମେମୋରିଆଲ ଟ୍ରଷ୍ଟରେ ବସନ୍ତଙ୍କୁ ଆଉ ସେଭଳି ଦେଖିବାକୁ ମିଳୁ ନାହିଁ। ଏଭଳି ସ୍ଥିତିରେ ପାରାଦୀପ ରାଜନୀତି ଆଗକୁ କି ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।