ହ୍ୱାଟସଆପରେ ଓଲିଭିୟା ନାମକ ତରୁଣୀର ମେସେଜ୍ ଆସୁଛି କି ? ଟାର୍ଗେଟରେ ଅଛନ୍ତି କିଶୋର, ଏଭଳି କରୁଛି ମେସେଜ୍

58

ଇଣ୍ଟରନେଟ୍ ଓ ଅନଲାଇନ୍ ଦୁନିଆରେ ଠକେଇର ନୂଆ ନୂଆ ଉପାୟ ସାମନାକୁ ଆସୁଛି । ଗତ କିଛି ଦିନରେ ‘ଓଲିଭିୟା ହୋକ୍ସ’ ନାମକ ହ୍ୱାଟସଆପ୍ ଠକେଇ ଚର୍ଚ୍ଚାରେ ଆସିଛି । ଯାହାକୁ ନେଇ ଓଡିଶା ପୁଲିସର କ୍ରାଇମ୍ ବ୍ରାଂଚ ଚେତାବନୀ ଜାରି କରି ସାବଧାନତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି । ଆପଣଙ୍କ ପିଲାଙ୍କ ଅନଲାଇନ୍ ଆକ୍ଟିଭିଟି ଉପରେ ନଜର ରଖୁଛନ୍ତି କି ? ଯଦି ନା, ତେବେ ରଖିବା ଆରମ୍ଭ କରନ୍ତୁ ଓ ତାଙ୍କୁ ଅନଲାଇନ୍ ଠକେଇ ବିଷୟରେ ସାବଧାନତା ଅବଲମ୍ବନ କରିବା ବି ଶିଖାନ୍ତୁ । ଗୋଟିଏ ହ୍ୱାଟସଆପ୍ ସ୍କାମ ସାମନାକୁ ଆସିଛି, ଯାହା ଜରିଆରେ କମ୍ ବୟସର କିଶୋରଙ୍କୁ ଏକ ଠକ ମେସେଜ୍ ପଠାଯାଏ ଓ ଏହା ଜରିଆରେ ତାଙ୍କୁ ପର୍ଣ୍ଣ ଆଡକୁ ଦିଗହରା କରାଯାଏ ।

ହ୍ୱାଟସଆପରେ ଓଲିଭିୟା ନାମକ ଏକ ଝିଅ ନିଜକୁ ପିଲାଙ୍କ ସାଙ୍ଗ ବୋଲି କହି ନିଜର ପରିଚୟ ଦିଏ । ତା’ପରେ ଏକ ଲିଙ୍କ ଦିଏ ଓ କ୍ଲିକ୍ କରିବାକୁ କହେ । ଏହି ଲିଙ୍କ ଉପରେ କ୍ଲିକ୍ କଲେ କିଶୋରମାନେ ତାଙ୍କ ଫଟୋ ଓଲିଭିୟା ସହିତ ଦେଖିପାରିବେ ବୋଲି ସେହି ମେସେଜ୍ ଦାବି କରୁଛି । ପ୍ରକୃତରେ ଏହି ଲିଙ୍କ କିଶୋରମାନଙ୍କୁ ପର୍ଣ୍ଣ ୱେବସାଇଟକୁ ନେଇଯାଏ, ଯେଉଁଠି ଅଶ୍ଲୀଳ ଫଟୋ ଓ ଭିଡିଓ ଆପେ ଆପେ ଚାଲୁ ହୋଇଯାଏ । ଏହା ‘ଓଲିଭିୟା ହୋକ’୍ସ ନାମରେ ଜଣାଯାଉଛି । ଏହା ଦ୍ୱାରା ପିଲାମାନେ ନ ଚାହିଁବା ସତ୍ୱେ ପର୍ଣ୍ଣ ଦେଖିବା ଅଭ୍ୟାସର ଶିକାର ହୋଇପାରନ୍ତି ।

ଏହି ଠକେଇ ସାମନାକୁ ଆସିବାପରେ ଓଡିଶା ପୁଲିସର କ୍ରାଇମ୍ ବ୍ରାଂଚ ୧୪ ସେପ୍ଟେମ୍ବରରେ ଏକ ଟ୍ୱିଟ୍ କରିଛନ୍ତି କି, “ବନ୍ଧୁତ୍ୱର ମିଛ ଦାବି ଜରିଆରେ କମ୍ ବୟସର କିଶୋରଙ୍କୁ ଓଲିଭିୟା ହୋକ୍ସ ନାମକ ନୂଆ ହ୍ୱାଟସଆପ୍ ସ୍ପାମରୁ ଟାର୍ଗେଟ କରାଯାଉଛି । ଅଭିଭାବକଙ୍କୁ ପରାମର୍ଶ ଦିଆଯାଉଛି ଯେ, ନିଜ ପିଲାଙ୍କ ଅନଲାଇନ୍ ଆକକ୍ଟିଭିଟି ଉପରେ ନଜର ରଖନ୍ତୁ ଓ କୈାଣସି ବି ଅଚିହ୍ନା ବା ସନ୍ଦିଗ୍ଧ ନମ୍ବରରୁ ମେସେଜ୍ ଆସିଲେ ତାକୁ ବ୍ଲକ୍ କରନ୍ତୁ ।”