ରାତି ପାହିଲେ ଧରାବତରଣ କରିବେ ଗଜାନନ । କଟକରେ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ୫୦ ଫୁଟ୍ ଉଚ୍ଚତାର ବିଶାଳ ଗଣେଷ ପ୍ରତିମା ।

259

କନକ ବ୍ୟୁରୋ: ରାତି ପାହିଲେ ଧରାବତରଣ କରିବେ ବିଘ୍ନନାଶକ ଗଣେଷ । ପ୍ରଭୁ ଶ୍ରୀ ଗଜାନନଙ୍କ ଆବାହନ ପାଇଁ ସହରଠୁ ପୁର ପଲ୍ଲୀ ଯାଏଁ ପ୍ରସ୍ତୁତି ଚୂଡାନ୍ତ । ପ୍ରଭୁ ଗଣେଷଙ୍କୁ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ମାୟାନଗରୀ କଟକ । ଯାହାକୁ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । କେଉଁଠାରେ ମେଢ଼କୁ ଗୁରୁତ୍ୱ ଦିଆଯାଇ ସେଥିରେ ଚାନ୍ଦି ଲଗା ଯାଉଛି ତ ଆଉ କେଉଁଠାରେ ମୂର୍ତ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । କଟକର ଶ୍ରୀକ୍ଷେତ୍ର ନଗର ପୂଜା କମିଟି ତରଫରୁ ଚଳିତ ବର୍ଷ ୫୦ ଫୁଟ୍ ଉଚ୍ଚତାର ବିଶାଳ ମୂର୍ତ୍ତି ସ୍ଥାପନ କରାଯାଇଛି ।

ପାର୍ବଣର ପ୍ରସ୍ତୁତି ବିନାୟକଙ୍କ ଠାରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ଏହାକୁ ନେଇ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଗଜାନନଙ୍କୁ ଯାକଜମକରେ ଆବାହାନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତେବେ ୫୨ତମ ବର୍ଷରେ ପଦାର୍ପଣ କରିଥିବା ଏହି ଶ୍ରୀକ୍ଷେତ୍ର ନଗର ପୂଜା କମିଟି ଚଳିତ ବର୍ଷ ଭେଟି ଦେଉଛନ୍ତି ସହରର ସବୁଠାରୁ ବୃହତ ଗଣେଷ ପ୍ରତିମା । ସୂଚନା ମୁତାବକ ପୂର୍ବରୁ କଟକର ଚାଉଳିଆଗଞ୍ଜ ଜାଗୃତି କ୍ଲବ, ତିନିଘରିଆ ଗୋଲ୍ଡେନ କ୍ଲବ ଏବଂ ବୀଣାପାଣି କ୍ଲବ ଚାଉଳିଆଗଞ୍ଜ ୩୦ରୁ ୩୨ ଫୁଟ୍ ର ଗଣେଷ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି । ତେବେ ଏହି ସବୁ ପୂଜା ମଣ୍ଡପ ଗୁଡିକ ସାଜସଜ୍ଜାକୁ ଗୁରୁତ୍ୱ ଏବଂ ମେଢ଼ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ପୂଜା କମିଟି ।

କିନ୍ତୁ ଶ୍ରୀକ୍ଷେତ୍ର ନଗର ପୂଜା କମିଟି କେବଳ ଗଣେଷ ପ୍ରତିମୂର୍ତ୍ତିକୁ ଗୁରୁତ୍ୱ ଦେଇଥିବା ଜଣାପଡିଛି । ଯେଉଁଥି ପାଇଁ ୩.୫ ଲକ୍ଷ ଟଙ୍କା ବ୍ୟୟଅଟକଳରେ ୫୦ ଫୁଟ୍ ର ଏହି ବିଶାଳ ଗଣେଷ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ମୂତ୍ତିରେ ୧୦ ଜଣ କାରିଗର ଅଗଷ୍ଟ ପ୍ରଥମ ସପ୍ତାହରୁ ହିଁ କାର୍ଯ୍ୟ ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ପ୍ରଭୁ ଗଣେଷଙ୍କ ଲାଗି ୫୦ କେଜିର ଳଡୁ ଭୋଗର ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା କାଲିଠାରୁ ବିଘ୍ନ ନାଶକଙ୍କ ପୂଜା ପର୍ବରେ ଆରାଧନା କରାଯିବ । ଏହି ପୂଜା ୧୫ ଦିନଧରି ଚାଲିବାକୁ ଥିବାବେଳେ ୨ ହଜାର ଲୋକଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।