ଶଳା ଏବଂ ସ୍ତ୍ରୀଙ୍କ ଜରିଆରେ ଦୁର୍ନୀତିର ଜାଲ ବୁଣୁଥିଲେ କି ବିରଞ୍ଚି ସାହୁ । ମାମଲା ରୁଜୁ କରି ତଦନ୍ତ କରୁଛି ଭିଜିଲାନ୍ସ, ନିଯୁକ୍ତିରେ ଜାଲିଆତି ନେଇ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ ।

225

କନକ ବ୍ୟୁରୋ : ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଦୁର୍ନୀତିର ଖୋଳତାଡ ଭିଜିଲାନ୍ସ ଯେତେ କରୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବେ ବିରଞ୍ଚିଙ୍କ ପତ୍ନୀ ଓ ଶଳା ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଭିଜିଲାନ୍ସ । ଏପରିକି ଆବଶ୍ୟକ ହେଲେ ବିରଂଚିଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏସପି । ସେପଟେ ୨୦୧୬ରେ ଆସିଷ୍ଟାଣ୍ଡ କମରସିଆଲ ଟ୍ୟାକ୍ସେସ ଅଫିସର ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି ସମସ୍ତଙ୍କ ଖାତା ସାର୍ବଜନୀନ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

ଘରେ ଯେତେବେଳେ ଆୟବର୍ହିଭୂତ ସଂପତି ଠୁଳ ହୁଏ ଏବଂ ପୁଳାପୁଳା ଟଙ୍କା ଭିଜିଲାନ୍ସ ଜବତ କରେ, ସେତେବେଳେ ଜେଲର ଅନ୍ଧାର କୋଠରୀରେ ରାତି ବିତାଇବାକୁ ପଡ଼େ । ଆୟବର୍ହିଭୂତ ମାମଲାରେ ଗିରଫ ହୋଇଥିବା ଓଏସଏସସି ସଦସ୍ୟଙ୍କ ପିଏସ ବିଂରଚି ସାହୁଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରେ ରାତି ବିତାଇବାକୁ ପଡ଼ିଛି ।

ଦୁର୍ନୀତିର ଚେର ଖୋଜୁଛି ଭିଜିଲାନ୍ସ । ନଜରରେ ବିରଂଚିଙ୍କ ପରିବାର ସଦସ୍ୟ । ଟଙ୍କା ଓ ସଂପତି ଠୁଳ କରିବାରେ ବିରଂଚି ସାହୁଙ୍କ ପତ୍ନୀ ଓ ତାଙ୍କ ଶଳାଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଏହି ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ଆବଶ୍ୟକ ପଡିଲେ ପଚରାଉଚରା ପାଇଁ ବିରଂଚି ସାହୁଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଆର ପ୍ରକାଶ ।

କିନ୍ତୁ ପୁରା ପ୍ରକିୟାରେ ନିଯୁକ୍ତି ଦୁର୍ନୀତିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । କାରଣ, ବିରଂଚିଙ୍କ ଘରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମିଳିଛି । ତେବେ ଭିଜିଲାନ୍ସ ଏସପି କହିଛନ୍ତି, ନିଯୁକ୍ତି ପାଇଁ ଟଙ୍କା ନେଇଥିବା ଅଭିଯୋଗ ପ୍ରମାଣିତ ହୋଇନି । ଠକାମିର ଶିକାର ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କଲେ ତଦନ୍ତ କରାଯିବ ।

ଏପଟେ ଓଏସଏସସି ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ । ଆସିଷ୍ଟାଣ୍ଡ କମରସିଆଲ ଟ୍ୟାକ୍ସେସ ଅଫିସର ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ, ସେମାନେ କେତେ ନମ୍ବର ରଖିଛନ୍ତି, ତାର ପେପର ଦେବାକୁ ଦାବି କରିଛନ୍ତି । ଅସାଧୁ ଉପାୟରେ ଚାକିରି କରିଥିବା ପିଲାଙ୍କ ଚାକିରୀ ବାତିଲ କରାଯିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି ।

୨୦୧୬ରେ ଆସିଷ୍ଟାଣ୍ଡ କମରସିଆଲ ଟ୍ୟାକ୍ସେସ ଅଫିସର ପାଇଁ ୧୧୫ଟି ପୋଷ୍ଟ ବାହାରିଥିଲା । ୬୦ ହଜାରରୁ ଅଧିକ ପିଲା ଆବେଦନ କରିଥିବା ବେଳେ ୫୧୩ ଜଣ ମେନ୍ ପାଇଁ ଚୟନ ହୋଇଥିଲେ । ଏଥିିରେ ବିଶ୍ୱନାଥ ପଣ୍ଡା ନାମକ ଛାତ୍ର ସିଲେକ୍ଟ ହୋଇଥିଲେ । ହେଲେ ଟଙ୍କା ଦେଇନଥିବାରୁ ତାଙ୍କୁ ଚାକିରି ମିଳିନଥିବା ଅଭିଯୋଗ ହୋଇଛି । ଆଉ ଏସବୁ ଭିତରେ ବିରଂଚି ସାହୁଙ୍କ ୨ଟି ଆକାଉଂଟରୁ ଆହୁୁରି ୯ ଲକ୍ଷ ଟଙ୍କା ମିଳିଛି । ସୋମବାର ବ୍ୟାଙ୍କ ଖୋଲିବା ପରେ ବ୍ୟାଙ୍କରେ ଗଚ୍ଛିତ ଟଙ୍କାର ଛାନବିନ୍ କରିବ ଭିଜିଲାନ୍ସ ।