ଏସିଏଫଙ୍କ ମୃତ୍ୟୁ ମାମାଲାକୁ ନେଇ ବଢୁଛି ରହସ୍ୟ : ପାରଳାଖେମୁଣ୍ଡିରେ କ୍ରାଇମବ୍ରାଂଚ ଟିମ୍; ପୋଲିସକୁ ତଦନ୍ତରେ କରିବ ସହାୟତା

350

କନକ ବ୍ୟୁରୋ : ବଢୁଛି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ରହସ୍ୟ । ତଦନ୍ତରେ ସହାୟତା କରିବାକୁ ପାରଳାଖେମୁଣ୍ଡିରେ ଅଛି କ୍ରାଇମବ୍ରାଂଚ ଟିମ୍ । କପ୍ତିପଦାକୁ ପୁଲିସ ଟିମ ଯାଇଥିବାରୁ ସେମାନେ ଫେରିଲେ ତଦନ୍ତ ଆଗକୁ ବଢିବ ଜଣାପଡିଛି । ତେବେ ମାମଲା ରୁଜୁ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ ଜେରା କରାଯାଇନାହିଁ । ଏ ଯାଏଁ ତାଙ୍କର ଖୋଜଖବର ବି ନାହିଁ ।

ଗତକାଲି ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ସୌମ୍ୟରଂଜନଙ୍କ ପରିବାର । ଏସବୁ ଭିତରେ ମୁହଁ ଖୋଲିଥିଲେ ବିଦ୍ୟାଭାରତୀ । ଗଣମାଧ୍ୟମକୁ ସେ କହିଥିଲେ, ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା । ଫୋନରେ ସେ ତାଙ୍କ ସହ ବାରମ୍ବାର କଥା ହେଉଥିଲେ । ଏପରିକି ସୌମ୍ୟରଞ୍ଜନଙ୍କ ମୋବାଇଲ୍ ଯାଞ୍ଚ କରିବାକୁ ଅନେକଥର ଚାହିଁଥିଲେ ସୁଦ୍ଧା ସୌମ୍ୟ ସଙ୍ଗେ ସଙ୍ଗେ ନିଜ ପାସ୍‌ୱାର୍ଡ ବଦଳାଇ ଦେଉଥିଲେ । ବିଦ୍ୟା ଭାରତୀ ମୁହଁ ଖୋଲିବା ପରେ- ଗୋଟିଏ କଥା ସ୍ପଷ୍ଟ ହେଉଛି- ଯେ ଉଭୟଙ୍କ ଭିତରେ ସନ୍ଦେହର ପାହାଡ ଠିଆ ହୋଇଥିଲା ।

ଘଟଣାଦିନ ଆମ୍ବୁଲାନ୍ସ ଅଟକିବା ଘଟଣାକୁ ବିଦ୍ୟାଭାରତୀ ଖଣ୍ଡନ କରିବା ସହିତ ଟଙ୍କା ଦରକାର ହେବାରୁ ସେ ସରକାରୀ ବଙ୍ଗଳାକୁ ପୁନର୍ବାର ଆସି ସୌମ୍ୟଙ୍କ ଏଟିଏମ୍, ପର୍ସ, ବେଡ୍‌ସିଟ୍ ଆଣିଥିଲେ ବୋଲି କହିଛନ୍ତି । ଏହାଛଡ଼ା ତାଙ୍କ ଶାଶୂ ତୁଳସୀ ମହାପାତ୍ର ବଲାଙ୍ଗୀରରେ ବ୍ୟାଚଲର୍‌ ପାର୍ଟି କରିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମଧ୍ୟ ଗଣମାଧ୍ୟମ ଆଗରେ ସମୁଦି ଘର ସହିତ ତାଙ୍କର ଉତ୍ତମ ସମ୍ପର୍କ ଥିବା ପ୍ରକାଶ କରି ‘ମୋ ଜ୍ୱାଇଁ ଦେବତା’ ବୋଲି କହିଥିଲେ ।

ଅପରପକ୍ଷେ ତାଙ୍କ ପୁଅର ଅନ୍ୟ ଝିଅ ସହ ସଂପର୍କ ଥିବା କଥାକୁ ଅସ୍ବୀକାର କରିଛନ୍ତି ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର ଓ ବାପା ଅଭିରାମ ମହାପାତ୍ର । ଏହା ବିଦ୍ୟାଭାରତୀଙ୍କ ଆଉ ଏକ ନୂଆ କାହାଣୀ । କେବଳ ତଦନ୍ତକୁ ବାଟବଣା କରିବା ପାଇଁ ଏଭଳି ପ୍ରାୟୋଜିତ କଥା କୁହାଯାଉଛି ବୋଲି ଦୁହେଁ କହିଛନ୍ତି । ବୋହୂ ବିଦ୍ୟାଭାରତୀ, ଡିଏଫ୍‌ଓ, ରୋଷେୟା ତିନିଜଣଙ୍କୁ ଏକାଠି ଓ ପୃଥକ୍‌ ଜେରା ସହିତ ତିନିଜଣଙ୍କର ପଲିଗ୍ରାଫ୍‌ ଟେଷ୍ଟ, ଫରେନସିକ୍ ଟେଷ୍ଟ ଏବଂ ପୁଲିସ ତଦନ୍ତରୁ ସତକଥା ନିଶ୍ଚୟ ପଦାକୁ ଆସିବ ବୋଲି ସୌମ୍ୟରଞ୍ଜନଙ୍କ ବାପା, ମା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କପ୍ତିପଦା ଆସିଥିବା ପାରଳାଖେମୁଣ୍ଡି ପୁଲିସର ୬ ଜଣିଆ ତଦନ୍ତକାରୀ ଟିମ୍ ଗତକାଲି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ତାଙ୍କ ବାପା ଶ୍ରୀହରି ପଣ୍ତା ଓ ମାଆ ବିଦ୍ୟୁତ୍‌ଲତା ପଣ୍ତାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରାଉଚୁରା କରିଛନ୍ତି । ଗତକାଲି ଜେରା ଶେଷ ହୋଇ ନଥିବାରୁ ଆଜି ଦିନ ପ୍ରାୟ ୧୧ଟା ବେଳେ ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀଙ୍କ ଗୌଡ଼ଗାଁସ୍ଥିତ ବାପଘରେ ଆସି ପହଞ୍ଚିଥିଲେ । ଜେରାବେଳେ ବିଦ୍ୟାଭାରତୀଙ୍କ ନିକଟରୁ ଏକ ଚିଠି ଜବତ କରାଯାଇଛି । ଗତକାଲି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମୋବାଇଲ୍‌କୁ ଜବତ କରିଥିଲା ପୁଲିସ ।