ବ୍ରାଉନସୁଗାରର ବିଷ ବଳୟରେ ବୁଡିଛି ଓଡ଼ିଶା । କେଉଁଠୁ ଆସୁଛି ବ୍ରାଉନସୁଗାର, କାରବାର ପଛରେ କିଏ ?

169

କନକ ବ୍ୟୁରୋ : ଓଡ଼ିଶାରେ ବ୍ୟାପୁଛି ବ୍ରାଉନ ସୁଗାରର ବିଷ । କିଲୋକିଲୋ ଧଳା ଜହର ଧରା ପଡିବା ପରେ ଏହା କେଉଁଠୁ ଆସୁଛି ଓ କିଭଳି ଲୋକଙ୍କ ପାଖରେ ପହଞ୍ଚୁଛି, ତାର ମୂଳ ଖୋଜିବାକୁ ଜାରି ରହିଛି ଅପରେସନ୍ । ମିଳିଥିବା ସୂଚନା ଅନୁସାରେ ଆଫଗାନିସ୍ତାନରୁ ବାଂଲାଦେଶ ଦେଇ ପଶ୍ଚିମବଙ୍ଗ ଓ ପରେ ଜଳପଥ ଦେଇ ବାଲେଶ୍ୱରକୁ ଆସୁଛି ବ୍ରାଉନସୁଗାର । ଆଉ ଏଠାରୁ ହିଁ ସାରା ଓଡ଼ିଶାରେ ଚାଲିଛି କାରବାର ।

ଓଡ଼ିଶାରେ କେମିତି ଚାଲିଛି ନିଶା କାରବାର ? କେଉଁଠୁ ଆସୁଛି ବ୍ରାଉନସୁଗାର, କାରବାର ପଛରେ କିଏ ? ଓଡ଼ିଶା ଉପରେ ନିଶା ମାଫିଆଙ୍କ ନଜର । କିଛି ଦିନ ଭିତରେ ରାଜ୍ୟରେ ଅଧ କିଲୋରୁ ଅଧିକ ଓଜନର ବ୍ରାଉନସୁଗାର ଧରାପଡିଛି । ଆଉ ଏହି ଧଳା ଜହର ଆଫଗାନିସ୍ତାନରୁ ବାଂଲାଦେଶ ଦେଇ ପଶ୍ଚିମବଙ୍ଗକୁ ଆସୁଛି । ଏହାପରେ ପଶ୍ଚିମବଙ୍ଗରୁ ବାଲେଶ୍ୱର, ଜଳେଶ୍ୱର ଦେଇ ଓଡ଼ିଶାକୁ ପଶୁଛି । ଆଉ ତାପରେ ସାରା ଓଡ଼ିଶାରେ ଏଜେଣ୍ଟ ଜରିଆରେ ଖେଳିଯାଉଛି । ପୁଲିସ ସଜାଗ ରହିବା ନେଇ ବାରମ୍ବାର ବୟାନ ଦେଉଥିବା ସତ୍ୱେ ମାଫିଆ ଚାଲାକିର ସହ ବେପାର କରି ଚାଲିଛନ୍ତି । ଆଉ ଯେବେ ଧରାପଡୁଛନ୍ତି କୋଟି କୋଟିର ଧଳା ଜହର ଜବତ ହେଉଛି ।

ସୂଚନା ଅନୁସାରେ ପୁଲିସକୁ ଚକମା ଦେବାକୁ ବ୍ରାଉନସୁଗାର ବ୍ୟବସାୟୀମାନେ ରୀତିମତ ସେମାନଙ୍କ ପ୍ଲାନ ଚେଞ୍ଜ କରୁଛନ୍ତି । ଯେଉଁ ଜିଲ୍ଲାରେ ଚଢାଉ ହେଉଛି ତାକୁ ଛାଡି ଅନ୍ୟଆଡେ ମୁହାଁଉଛନ୍ତି ବେପାରୀ । ସମୟ ଅନୁସାରେ ତାଳ ଦେଇ ବେପାରର ତରିକା ମଧ୍ୟ ବଦଳାଇଛନ୍ତି ।

ଯୁବ ପୀଢିଙ୍କୁ ଟାର୍ଗେଟ କରି ଓଡିଶାରେ ବେଧଡକ ନିଶା କାରବାର ଚଲାଇଛନ୍ତି ଡ୍ରଗ୍ସ ମାଫିଆ । ଭୁବନେଶ୍ୱର, କଟକ ପରେ ଏବେ ଜଗତସିଂହପୁର, ପାରାଦୀପ, ନୟାଗଡ଼, ପୁରୀ ଜିଲ୍ଲାରେ ଏହି ଧଳା ଜହର କାରବାର ବଢିଛି । ଗଲା ତିନି ବର୍ଷ ହେଲା ବ୍ରାଉନସୁଗାର କାରବାର ବଢିଥିବା ସୂଚନା ଦେଇଛନ୍ତି ପୁଲିସ କମିଶନର ।

ଶୁକ୍ରବାର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରୁ ୫ଶହ ଗ୍ରାମରୁ ଅଧିକ ଓଜନର ବ୍ରାଉନ ସୁଗାର ଜବତ କରିଛି ପୁଲିସ । ଏହି ଘଟଣାରେ ୭ଜଣଙ୍କୁ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ନଗଦ ୨୧ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି ଜଗତସିଂହପୁର ପୁଲିସ । ଡ୍ରଗ୍ସ ମାଫିଆ ପୁଲିସର ଚଢାଉ ଯୋଗୁଁ ସତର୍କତା ଅବଲମ୍ବନ କରି ବାରମ୍ବାର କାରବାର ଯୋଜନା ପରିବର୍ତ୍ତନ କରୁଛନ୍ତି । ତେବେ ମାଫିଆଙ୍କୁ ଧରିବା ପାଇଁ ଓ ନିଶା କାରବାର ବନ୍ଦ କରିବାକୁ ଓଡ଼ିଶା ପୁଲିସ ଅଭିଯାନ ଚଲାଇଛି । ଧରା ପଡୁଥିବା ବ୍ରାଉନସୁଗାର କିଛି ଦିନ ପାଇଁ ଅପରାଧୀଙ୍କ ମନରେ ଭୟ ସିନା ସୃଷ୍ଟି କରୁଛି, ହେଲେ ଏହି କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇ ପାରୁନାହିଁ ।