କନକ ବ୍ୟୁରୋ : ରାଜ୍ୟରେ କରୋନା ଟିକାକରଣରେ ଯାଡ଼ି ହେଲା ଆଉ ଏକ ଅଧ୍ୟାୟ । ୫୦ ଲକ୍ଷ ଲୋକ ୨ଟି ଡୋଜ ଟିକା ସମ୍ପୂର୍ଣ୍ଣ କରିଛନ୍ତି । ଗତ ଜାନୁଆରି ମାସରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୮ ମାସରେ ଏହି ଲକ୍ଷ୍ୟ ପୂରଣ ହୋଇଛି ।
ରାଜ୍ୟରେ ସମୁଦାୟ ୨କୋଟି ୧୦ ଲକ୍ଷ ୬୨ ହଜାର ୫୧୭ ଡୋଜ ଟିକା ଦିଆଯାଇଥିବା ବେଳେ ଏଥିରେ ୧କୋଟି ୬୦ ଲକ୍ଷ ୪୮ ହଜାର ୪୪୧ଜଣ ନେଇଛନ୍ତି ପ୍ରଥମ ଡୋଜ ଟିକା । ରାଜ୍ୟରେ ସମୁଦାୟ ୩ ଦଶମିକ ୧କୋଟି ଲୋକଙ୍କୁ କରୋନା ଟିକା ଦିଆଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ଦୈନିକ ଟିକାକରଣ ଏବେ ପ୍ରାୟ ୨ଲକ୍ଷ ତଳେ ରହିଛି । ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ ହେଁ ଟିକାର ଅଭାବ ଯୋଗୁଁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ।
ସେପଟେ ବୁଧବାର ଟିକାକରଣରେ ନୂଆ ମାଇଲଖୁଂଟ ଛୁଇଁଛି ଭାରତ । ଦେଶରେ ମୋଟ ଟିକାକରଣ ୬୦ କୋଟି ଡୋଜ୍ ଟପିଛି । ୬୦ କୋଟି ୨୬ ଲକ୍ଷ ୬୧ ହଜାର ୯୩୮ ଲୋକ ଅତି କମରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି । ସେଥିରୁ ପ୍ରଥମ ଡୋଜ ନେଇଛନ୍ତି ୪୬ କୋଟି ୬୯ ଲକ୍ଷ ୬୪ ହଜାର ୨୭୯ ଜଣ । ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ବା ଦୁଇ ଡୋଜ୍ ଟିକା ନେଇଛନ୍ତି ୧୩ କୋଟି ୫୬ ଲକ୍ଷ ୯୭ ହଜାର ୬୫୯ ଲୋକ ।