୨୪ ଘଂଟାରେ ରାଜ୍ୟରେ ପାଖାପାଖି ୩ ହଜାର ସଂକ୍ରମଣ । ଏପ୍ରିଲ ମାସରେ ବଦଳି ଯାଇଛି ରାଜ୍ୟର କରୋନା ଚିତ୍ର । ୧୫ ଦିନ ମଧ୍ୟରେ ସାଢ଼େ ୭ ଗୁଣରୁ ଅଧିକ ହୋଇଛି ଦୈନିକ ସଂକ୍ରମଣ

114

କନକ ବ୍ୟୁରୋ: ଓଡିଶାରେ କିଛି ଦିନ ତଳେ ଗ୍ରୀନ୍ ଜୋନରେ ଥିବା ସଂକ୍ରମଣ, ଏବେ ଲଗାମ୍ ଛଡ଼ା ହୋଇଯାଇଛି । ରେଡ୍ ଜୋନକୁ ଚାଲି ଯାଇଛି ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା । ଆଉ ୟେଲୋ ଜୋନକୁ ଚାଲି ଯାଇଛି ସମ୍ବଲପୁର, ବରଗଡ, କଳାହାଣ୍ଡି, କଟକ, ନୂଆପଡା, ପୁରୀ, ବଲାଙ୍ଗୀର । ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଇବାରେ ଲାଗିଛି, ମାତ୍ର କିଛି ଦିନ ମଧ୍ୟରେ ପୂରା ଚିତ୍ର ବଦଳି ଯିବା ଭଳି ଲାଗୁଛି । ଗତ ୧୫ ଦିନ ମଧ୍ୟରେ ସାଢ଼େ ୭ ଗୁଣରୁ ଅଧିକ ବଢ଼ିଯାଇଛି ରାଜ୍ୟରେ ଦୈନିକ ସଂକ୍ରମଣ । ଏପ୍ରିଲ ପହିଲାରେ ରାଜ୍ୟରେ ଦୈନିକ ସଂକ୍ରମଣ ଥିଲା ୩୯୪, ୩ ତାରିଖରେ ୪୫୨, ୫ ତାରିଖରେ ୫୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୭ ତାରିଖରେ ୭୯୧, ୯ ତାରିଖରେ ଲମ୍ବା ଡିଆଁ ମାରି ୧୨୮୨ ମାମଲା ଆସିଥିଲା । ଏପ୍ରିଲ ୧୧ ରେ ଦୈନିକ ସଂକ୍ରମଣ ଥିଲା ୧୩୭୯, ୧୩ ତାରିଖରେ ୧୭୮୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ତାରିଖରେ ଆସିଛି ୨୯୮୯ ମାମଲା ।

ଓଡ଼ିଶାର କରୋନା ମିଟର

  • ଏପ୍ରିଲ ୧- ୩୯୪
  • ଏପ୍ରିଲ ୩-୪୫୨
  • ଏପ୍ରିଲ ୫-୫୭୩
  • ଏପ୍ରିଲ ୭-୭୯୧
  • ଏପ୍ରିଲ ୯- ୧୨୮୨
  • ଏପ୍ରିଲ ୧୧-୧୩୭୯
  • ଏପ୍ରିଲ ୧୩-୧୭୮୪
  • ଏପ୍ରିଲ ୧୫-୨୯୮୯

ଏପ୍ରିଲ ମାସର ପ୍ରଥମ ୧୫ ଦିନରେ ୧୭,୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚି ଯାଇଛି ୧୪,୬୨୧ । ମୋଟ ମୃତ୍ୟୁ ସଂଖ୍ୟା ୧୯୩୫ । ସୁନ୍ଦରଗଡ଼ ଓ ଖୋର୍ଦ୍ଧାର ସ୍ଥିତି ସବୁଠୁ ଉକ୍ରଟ ହୋଇଛି । ଗୋଟିଏ ଦିନରେ ସୁନ୍ଦରଗଡ଼ରେ ୬୩୧ ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି ୨୮୫୬ । ସେହିପରି ୨୪ ଘଂଟାରେ ଖୋର୍ଦ୍ଧାରେ ନୂଆ ୪୩୧ ପଜିଟିଭ୍ । ଫଳରେ ଖୋର୍ଦ୍ଧାରେ ମୋଟ ସକ୍ରିୟ ସଂକ୍ରମିତ ୨୦୮୩ରେ ପହଁଚିଛି ।

ଚିନ୍ତା ବଢ଼ାଉଛି ଏପ୍ରିଲ

  • ପ୍ରଥମ ୧୫ ଦିନରେ – ୧୭,୪୨୫
  • ରାଜ୍ୟରେ ସକ୍ରିୟ ଆକ୍ରାନ୍ତ – ୧୪,୬୨୧
  • ଗୋଟିଏ ଦିନରେ ସୁନ୍ଦରଗଡ଼ରେ ୬୩୧
  • ସୁନ୍ଦରଗଡ଼ରେ ସକ୍ରିୟ ଆକ୍ରାନ୍ତ – ୨୮୫୬
  • ଗୋଟିଏ ଦିନରେ ଖୋର୍ଦ୍ଧାରେ ୪୩୧
  • ଖୋର୍ଦ୍ଧାରେ ସକ୍ରିୟ ଆକ୍ରାନ୍ତ – ୨୦୮୩

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ମଧ୍ୟ ସଂକ୍ରମଣ ଦୃତ ଗତିରେ ବଢିଚାଲିଛି । ଗତ ୫ ଦିନ ମଧ୍ୟରେ ରାଜଧାନୀରେ ଗିୟର ବଦଳାଇ ଦେଇଛି କରୋନା । ଏପ୍ରିଲ ୧୧ ତାରିଖରେ ୧୪୮ ଆକ୍ରାନ୍ତ, ୧୨ ତାରିଖରେ ୧୯୦, ୧୩କ୍ଷହ ୧୯୧, ୧୪ ତାରିଖରେ ୩୦୭ ଏବଂ ୧୫ ତାରିଖରେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ୩୭୯ ନୂଆ କରୋନା ପଜିଟିଭ୍ । ଏବେ କେବଳ ଭୁବନେଶ୍ୱରରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି ୧୭୯୪ ।

  • ଭୁବନେଶ୍ୱରରେ କରୋନା ସ୍ପିଡ୍
    ୧୧ ଏପ୍ରିଲ – ୧୪୮
    ୧୨ ଏପ୍ରିଲ – ୧୯୦
    ୧୩ ଏପ୍ରିଲ – ୧୯୧
    ୧୪ ଏପ୍ରିଲ – ୩୦୭
    ୧୫ ଏପ୍ରିଲ – ୩୭୯
    ମୋଟ ସକ୍ରିୟ ଆକ୍ରାନ୍ତ – ୧୭୯୪

ଏପଟେ ପିପିଲି ଉପନିର୍ବାଚନ ପ୍ରଚାର ପରେ ପରେ ପୁରୀ ଜିଲ୍ଲାରେ ମଧ୍ୟ ହଠାତ୍ ସଂକ୍ରମଣ ବଢ଼ିଯାଇଛି । ୨୪ ଘଂଟାରେ ୧୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।