ଦିନକର ବିରତି ପରେ ରାଜ୍ୟରେ ଆଜିଠୁ ପୁଣି ଟିକାକରଣ: ଟିକାଦାନ କେନ୍ଦ୍ର ସଂଖ୍ୟା ବଢାଇବାକୁ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି

ସାରାଦେଶରେ ୨ଦିନରେ ଟିକା ନେଲେଣି ୨ଲକ୍ଷ ୨୪ହଜାର ୩୦୧ଜଣ

72

କନକ ବ୍ୟୁରୋ: ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ ଚାଲିବ ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିବ । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେବ । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନ୍ରେ ଟିକା ଦିଆଯିବ । ପ୍ରତି ପର୍ଯ୍ୟାୟରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ଅର୍ଥାତ ଦିନକୁ ୧-ହଜାର ଲୋକ ଟିକା ନେବା ପାଇଁ ବ୍ୟବସ୍ଥା ହୋଇଛି ମେଡିକାଲ କଲେଜ ଗୁଡିକରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ପାଇଁ ଲୋକଙ୍କୁ ଗୋଟିଏ କିମ୍ବା ଦୁଇଟି ସେସନରେ ଟିକାକରଣ କରାଯିବ । ପ୍ରତି ସେସନରେ ଶହେ ଜଣ ଲେଖାଏଁ କୋଭିଡ ଟିକା ନେବେ ବୋଲି ଜଣା ପଡିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଦିନକୁ ଗୋଟିଏ ସେସନରେ ଶହେ ଜଣ ଟିକା ନେବେ ।

ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଦିନରେ ଅର୍ଥାତ ଶନିବାର ଧାର୍ଯ୍ୟ ଲକ୍ଷ୍ୟର ୮୫ପ୍ରତିଶତ ଅର୍ଥାତ୍ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଛି । ସେହିପରି ୬ଟି ଜିଲ୍ଲାରେ ପ୍ରଥମ ଦିନରେ ୧୦୦% ଟିକାକରଣ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଟିକାକରଣ ପରେ ପାଶ୍ୱର୍ ପ୍ରତିକ୍ରିୟା ନେଇ ରାଜ୍ୟର ବିଶେଷ କୌଣସି ଖବର ଆସିନଥିବା ବେଳେ ପ୍ରଥମେ ଟିକା ନେଇଥିବା ବ୍ୟକ୍ତି ଭଲ ଥିବା କହିଛନ୍ତି ।