ଆଜିଠାରୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ : ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ; ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା

199

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ ଆରମ୍ଭ ହେବ । ରାଜ୍ୟର ସମସ୍ତ ବ୍ଲକ୍ ଓ ମ୍ୟୁନିସିପାଲିଟିରେ ଟିକାକରଣ କରାଯିବ । ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେଣୁ ଜିଲ୍ଲା‌ସ୍ତରରେ ଏଥିପାଇଁ ଆବଶ୍ୟକ ପ୍ଲାନିଂ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଏବେ ଦୈନିକ ଟିକାକରଣ ଦେଢ଼ ଲକ୍ଷଠାରୁ କମ୍ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ୧୮-୪୪ବର୍ଗଙ୍କ ପାଇଁ ଟିକା ଯୋଗାଇ ଦିଆଯିବ । ଟିକା ନଷ୍ଟକୁ କମାଇବା ଓ ଯେତେ ଅଧିକ ସଂଖ୍ୟାରେ ଟିକାକରଣ କରାଯିବ, ସେହି ଅନୁଯାୟୀ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟରେ ୧୮-୪୪ବର୍ଗର ୩.୦୯ କୋଟି ଲୋକ ଥିବା ବେଳେ ସେମାନଙ୍କ ପାଇଁ ୬.୧୮ କୋଟି ଡୋଜ୍‌ର ଟିକା ଆବଶ୍ୟକ । ଚଳିତବର୍ଷ ଜାନୁଆରି ୧୬ତାରିଖରେ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୯୬ଲକ୍ଷ ୭୭ହଜାର ୫୯୨ ଡୋଜ୍ ଟିକା ଦିଆସରିଛି । ତହିଁରୁ ୧୭.୯୭ଲକ୍ଷରୁ ଅଧିକ ଉଭୟ ଡୋଜ୍‌ର ଟିକା ନେଇସାରିଛନ୍ତି। ତେଣୁ ଟିକାକରଣ ସଂଖ୍ୟାକୁ ବଢ଼ାଇବାକୁ ହେଲେ ତୃଣମୂଳସ୍ତରରେ ଟିକାକରଣ କରିବା  ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ପ୍ରତ୍ୟେକ ବ୍ଲକ୍‌ ଓ ଏନ୍‌ଏସିରେ ୫ଟି ଲେଖାଏଁ ଟିକାକରଣ ଅଧିବେଶନ ଆୟୋଜିତ କରିବା ଲାଗି କୁହାଯାଇଛି । ମ୍ୟୁନିସିପାଲଟିରେ ୧୦ ଓ ମହାନଗର ନିଗମରେ ଅତିକମ୍‌ରେ ୨୦ଟି ଅଧିବେଶନ ଆୟୋଜିତ ହେବ । ଆବଶ୍ୟକ ପଡ଼ିଲେ ଧାର୍ଯ୍ୟ ଅଧିବେଶନକୁ ମଧ୍ୟ ବଢ଼ାଯାଇପାରେ । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଟିକାକୁ ୧୮-୪୪ବର୍ଗ ଓ ୪୫ବର୍ଷରୁ ଅଧିକ ଲୋକଙ୍କୁ ପ୍ରଦାନ କରିବା ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଉଭୟ ଅନଲାଇନ୍‌ ଓ ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ ଜରିଆରେ ଜଣେ ଟିକା ନେଇପାରିବେ । ଅପରପକ୍ଷରେ ଯେଉଁ ଲୋକମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ଅବଧି ହୋଇଗଲାଣି, ସେମାନଙ୍କୁ ଠିକ୍ ସମୟରେ ଟିକା ପ୍ରଦାନ କରିବା ଉପରେ ମଧ୍ୟ ନଜର ଦେବାକୁ ନିର୍ଦେଶ ଦିଆଯାଇଛି ।