ବାହାଘର ପ୍ରୋସେସନ୍ ମନା : ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ଯୋଗ ଦେଇପାରିବେ ୨୦ ଜଣ; ହଜାରେ ଦର୍ଶକଙ୍କୁ ନେଇ ଚାଲିପାରିବ ଯାତ୍ରା

568

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସାମାଜିକ କାର୍ଯ୍ୟକ୍ରମ ପାଇଁ କିଛିଟା କଟକଣା ଜାରି କରାଯାଇଛି । ୧୯ ତାରିଖରୁ ଏ କ୍ଷେତ୍ରରେ ସରକାରୀ ନୂଆ ନିର୍ଦ୍ଦେଶନାମା ଲାଗୁ ହେବ । ସର୍ବାଧିକ ୫୦ ଜଣ ଲୋକଙ୍କୁ ନେଇ ବାହାଘର ଓ ୨୦ ଜଣ ବ୍ୟକ୍ତିଙ୍କୁ ନେଇ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ । ସମସ୍ତ ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସମ୍ମିଳନୀକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କୌଣସି ରାଜନୈତିକ ରାଲି ଓ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ । ମନ୍ଦିରମାନଙ୍କରେ କେବଳ ଅତିକମ୍‌ରେ ନୀତିକୁ ପାଳନ କରାଯିବ । ଜନସାଧାରଣଙ୍କ ଦର୍ଶନ ଓ ପୂଜାକୁ ନିୟନ୍ତ୍ରଣରେ ପରିଚାଳନା କରାଯିବ । ଜିଲ୍ଲାରେ ଥିବା ଗୀର୍ଜା, ମସଜିଦରେ ଧାର୍ମିକ କାରଣ ପାଇଁ ବହୁ ଲୋକଙ୍କ ସମାଗମ ବେଳେ ଯେପରି ସାମାଜିକ ଦୂରତା ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ ମାସ୍କ୍‌ ରହିବ ସେ ନେଇ ଜିଲ୍ଲା ପ୍ରଶାସନ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସିନେମା ହଲ୍‌ରେ ଥିବା ସିଟ୍‌ ସଂଖ୍ୟାର ମାତ୍ର ୫୦ ପ୍ରତିଶତ ସିଟ୍‌ ପାଇଁ ଟିକେଟ ବିକ୍ରି କରିବାକୁ ଅନୁମତି ଦିଆଯିବ । ଆମୋଦ ପ୍ରମୋଦ ପାର୍କରେ ମାତ୍ର ୨୦୦ ଲୋକ ଏକାଠି ହୋଇପାରିବେ । ଯେତେ ଯାତ୍ରା, ଅପେରା ଓ ଖୋଲା ଥିଏଟର ପାଇଁ ଦର୍ଶକଙ୍କ ସଂଖ୍ୟାକୁ ୨ ହଜାରରୁ ୧ ହଜାରକୁ କମାଇ ଦିଆଯାଇଛି । ସମସ୍ତ ସରକାରୀ ଅଫିସଗୁଡ଼ିକ ଏଣିକି ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ସେହିପରି ଘରୋଇ ଅଫିସ୍‌, ବ୍ୟାଙ୍କମାନଙ୍କୁ କମ୍‌ ସଂଖ୍ୟାରେ ଅଫିସ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ ଭିତରେ ସମସ୍ତ କର୍ମଚାରୀ ମାସ୍କ୍‌ ପିନ୍ଧିବା ସହିତ ବାରମ୍ବାର ଅଫିସକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।