ଓଡିଶାରେ ବଢୁଛି ଦୈନିକ ସଂକ୍ରମଣ । ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର । ବିମାନବନ୍ଦର, ରେଳ ଷ୍ଟେସନରେ ଯାଂଚ କଡାକଡି ।

144

କନକ ବ୍ୟୁରୋ: ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦୦ ତଳକୁ ରହିଥିଲେ ବି ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି । ୫ ଦିନ ପୂର୍ବରୁ ରାଜ୍ୟରେ ଦୈନିକ ସଂକ୍ରମଣ ୬୦ରୁ ୭୦ ମଧ୍ୟରେ ରହୁଥିଲା । ଏବେ କିନ୍ତୁ ଏହି ସଂଖ୍ୟା ୮୦-୯୦ ଟପିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନଜର ପକାନ୍ତୁ ଓଡିଶାର କରୋନା ମିଟର ଉପରେ…

ଫେବ୍ରୁଆରୀ ୨୨ – ୬୨ ଜଣ ସଂକ୍ରମିତ ଚିହ୍ନଟ
ଫେବ୍ରୁଆରୀ ୨୩ – ୬୮ ଜଣ ସଂକ୍ରମିତ ଚିହ୍ନଟ
ଫେବ୍ରୁଆରୀ ୨୪ – ୮୯ ଜଣ ସଂକ୍ରମିତ ଚିହ୍ନଟ
ଫେବ୍ରୁଆରୀ ୨୫ – ୯୪ ଜଣ ସଂକ୍ରମିତ ଚିହ୍ନଟ
ଫେବ୍ରୁଆରୀ ୨୨ – ୮୬ ଜଣ ସଂକ୍ରମିତ ଚିହ୍ନଟ

ଏପଟେ ଚିନ୍ତାଜନକ ଖବର ହେଉଛି ବୁର୍ଲା ଭିସୁଟ୍ରେ ୨୫ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରେ ସଂକମ୍ରଣ ବ୍ୟାପିଛି । ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ଆକ୍ରାନ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଚାଲି ଯାଇଛନ୍ତି । ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଯିବାକୁ କୁଳପତି ଅନୁରୋଧ କରିଛନ୍ତି । ଏପରିକି ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଆସିବାକୁ କୁହାଯାଇଛି । ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ହୋଇ ନଥିବାରୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି କହିଛନ୍ତି କୁଳପତି ।

ଅନ୍ୟପଟେ ସଂକ୍ରମଣ ପ୍ରବଣ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ସାମାନ୍ୟ ନିୟମ ବଦଳିଛି । ଏଣିକି ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରହିବ । ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଂଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଯଦି କୌଣସି ଯାତ୍ରୀଙ୍କ ଠାରେ ଲକ୍ଷଣ ରହିଥିବ, ତେବେ ସାଙ୍ଗେ ସାଙ୍ଗେ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ ।

ସେହିପରି ୭୨ ଘଂଟା ଭିତରେ ଆରଟିପିସିଆର ପରୀକ୍ଷା କରାଇଥିଲେ ୭ ଦିନିଆ ସଂଗରୋଧରେ ରହିବେ ନାହିଁ ଯାତ୍ରୀ । ଏଥିସହ କୋଭିଡ ଟିକା ନେଇ ପ୍ରମାଣ ପତ୍ର ପାଇଥିଲେ ସଂଗରୋଧରେ ରହିବା ଅନାବଶ୍ୟକ । ଏହାବାଦ ଅନ୍ୟ ଯାତ୍ରୀମାନେ ୭ ଦିନିଆ ହୋମ ଆଇସୋଲେସନରେ ରହିଥିବା ବେଳେ ଯଦି ଲକ୍ଷଣ ଦେଖାଦିଏ, ତେବେ ଆରଟିପିସିଆର ଟେଷ୍ଟ ପାଇଁ ସେମାନଙ୍କ ନମୂନା ପଠାଯିବ । ଏଥିରେ ପଜିଟିଭ୍ ଚିହ୍ନଟ ହେଲେ, କରୋନା ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ ।

କରୋନାର ଦ୍ୱିତୀୟ ଲହରୀ ଆସିଲେ, ଏହା ଅଧିକ ସଂକ୍ରମକ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ଏଥିସହ ନୂଆ ଷ୍ଟ୍ରେନ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୧୬,୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରେ ୮,୩୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।