୬ ଦିନ ପରେ ରାଜ୍ୟରେ କରୋନାର ଲମ୍ବା ଡିଆଁ । ୨୪ ଘଂଟାରେ ୮୩୮୬ ଆକ୍ରାନ୍ତ ଚିହ୍ନଟ । ଆଗକୁ ଆହୁରି ବଢ଼ିପାରେ ସଂକ୍ରମଣ ।

215

କନକ ବ୍ୟୁରୋ: ଓଡ଼ିଶାରେ କରୋନା ପରୀକ୍ଷା କରୁଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ହଠାତ୍ ଏହିପରି ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଗତ ୬ ଦିନ ହେଲା ୬ ହଜାରରୁ ୬ ହଜାର ୬ ଶହ ମଧ୍ୟରେ ସଂକ୍ରମଣ ରହୁଥିଲା, ହେଲେ ଦିନକରେ ୮ ହଜାର ୩ ଶହ ଉପରେ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଏପ୍ରିଲ ୧୮, ୧୯, ୨୦ ତାରିଖରେ ୪ ହଜାରରୁ ୫ ହଜାର ମଧ୍ୟରେ ସଂକ୍ରମିତ ଚିହ୍ନଟ ହୋଇଥିଲା, ତେବେ ଏପ୍ରିଲ ୨୧ ତାରିଖରେ ଗୋଟିଏ ଡିଆଁରେ ୬ ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏବେ ପୁଣିଥରେ ଏହାର ପୁନରାବୃତ୍ତି ହୋଇଛି ।

ନଜର ପକାନ୍ତୁ, ଏପ୍ରିଲ ୨୧ରୁ ଏପ୍ରିଲ ୨୭ ଯାଏଁ କେତେ କରୋନା ପରୀକ୍ଷା ହୋଇଛି ଓ କେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

୬ ଦିନ ଧରି ୬ ହଜାର ଉପରେ ସଂକ୍ରମଣ ଚିହ୍ନଟ ହେଉଥିଲା । ଅଳ୍ପ କିଛି ବଢ଼ୁଥିଲା, ନହେଲେ କିଛି ହ୍ରାସ ପାଉଥିଲା, ସମ୍ଭବତଃ ସଂକ୍ରମଣର ଏପରି ଗତି ଦେଖି ବିଶେଷଜ୍ଞମାନେ ଅନୁମାନ କରୁଥିଲେ, ପ୍ଲାଟୋ ପର୍ଯ୍ୟାୟକୁ ଯାଉଛି ରାଜ୍ୟରେ ସଂକ୍ରମଣ । ତେବେ ଗତ ୨୪ ଘଂଟାର ଚିତ୍ର, ପୁଣିଥରେ ଚିନ୍ତା ବଢ଼ାଇଛି । ଏପ୍ରିଲ ୨୬ ତାରିଖ ଦିନ, ୩୬,୮୪୫ କରୋନା ପରୀକ୍ଷା କରାଯାଇଥିଲା, ୬୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏପ୍ରିଲ ୨୭ ତାରିଖରେ ପରୀକ୍ଷା ହୋଇଥିଲା ୪.୪୦୧ ଏକ ନମୂନା ଆଉ ଚିହ୍ନଟ ହୋଇଛି ୮୩୮୬ ମାମଲା । ଟେଷ୍ଟ-ପଜିଟିଭିଟି ହାର ୧୯.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ।

          ତାରିଖ          ଟେଷ୍ଟ      ପଜିଟିଭ୍

  • ଏପ୍ରିଲ ୧୮ :  ୩୬,୧୭୫ –  ୪,୪୪୫
  • ଏପ୍ରିଲ ୧୯ :  ୩୨,୩୪୯ –  ୪,୭୬୧
  • ଏପ୍ରିଲ ୨୦ :  ୩୮,୫୪୮ –  ୪,୮୫୧
  • ଏପ୍ରିଲ ୨୧ :  ୪୨,୯୮୩  – ୬,୧୬୪

        ତାରିଖ        ଟେଷ୍ଟ       ପଜିଟିଭ୍ 

  • ଏପ୍ରିଲ ୨୧ :  ୪୨,୯୮୩  – ୬,୧୬୪
  • ଏପ୍ରିଲ ୨୨ :  ୪୩, ୫୩୮ – ୬,୨୧୫
  • ଏପ୍ରିଲ ୨୩ :  ୪୧,୦୧୭ – ୬,୬୪୭
  • ଏପ୍ରିଲ ୨୪ :  ୪୩,୭୬୫ – ୬,୧୧୬
  • ଏପ୍ରିଲ ୨୫ :  ୩୯,୬୪୨ –  ୬,୫୯୯
  • ଏପ୍ରିଲ ୨୬ :  ୩୬,୮୪୫ – ୬,୦୭୩
  • ଏପ୍ରିଲ ୨୭ :  ୪୨,୪୦୧ – ୮,୩୮୬

ରାଜ୍ୟରେ ଏପ୍ରିଲ ୧ ତାରିଖରୁ ଏପର୍ଯ୍ୟନ୍ତ ୮୭,୪୯୯ ନୂଆ ମାମଲା ସାମନାକୁ ଆସିଛି । ପଶ୍ଚିମ ଓଡ଼ିଶା ଓ କଟକ-ଭୁବନେଶ୍ୱରରେ ସ୍ଥିତି ଅଧିକ ସାଂଘାତିକ ହେଉଛି । ଅଧିକ ଟେଷ୍ଟ ଉପରେ ଫୋକସ କରୁଛନ୍ତି ସରକାର । ଦୈନିକ ୫୦ ହଜାରରୁ ଅଧିକ ଟେଷ୍ଟ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ କଟକଣାକୁ ଅଧିକ କଡ଼ା କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।

ଅନ୍ୟପଟେ ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଦୈନିକ ମୃତ୍ୟୁ ସଂଖ୍ୟା ପ୍ରଥମ ଥର ପାଇଁ ୩ ହଜାର ଟପିଯାଇଛି । ୨୪ ଘଂଟାରେ ଦେଶରେ ୩ ଲକ୍ଷ ୬୦ ହଜାର ୯୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ମୃତ୍ୟୁବରଣ କରିଛନ୍ତି ୩ ହଜାର ୨୯୩ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭ ରେ ପହଁଚି ଯାଇଛି ।