ମାଲକାନଗିରି ଥାନାରେ ରେଡ୍: ଆଇଆଇସି ସମେତ ୩ ଅଧିକାରୀଙ୍କୁ ଉଠାଇ ନେଲା ଭିଜିଲାନ୍ସ

ଜାଲ୍ ସାର୍ଟିଫିକେଟ୍ ମାମଲାରେ ଲାଞ୍ଚ ମାଗିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

288

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖାକି ବାବୁ । ମହଙ୍ଗା ପଡିଲା ଜାଲ୍ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ମାଗିବା । ଅଭିଯୋଗ ପରେ ମାଲକାନଗିରି ଥାନାରେ ଭିଜିଲାନ୍ସ ଚଢାଉ କରିଛି । ଏହି ମାମଲାରେ ଭିଜିଲାନ୍ସ ସ୍କାନରକୁ ଆସିଥିଲେ ଆଇ.ଆଇ.ସି ସମେତ ୩ ଅଧିକାରୀ । ଗତକାଲି ରାତିରେ ମାଲକାନଗିରି ଥାନା ଉପରେ ଚଢାଉ କରି ୪ ଜଣଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ଟିମ୍ । ଜାଲ୍ ସାର୍ଟିଫିକେଟ ମାମଲାରେ ଏକ ଘରୋଇ କଲେଜ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗି ଥିବା ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ।

ଆଗୁଆ ୧ ଲକ୍ଷ ଟଙ୍କା ନେଇ ସାରିଥିଲେ, ତେବେ ବାକି ଆଉ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସର ଏକ ଟିମ ଚଢାଉ କରି ସବ ଇନସ୍ପେକ୍ଟର ମାନସ ରଂଜନ ସ୍ୱାଇଁକୁ ରେଡ ହ୍ୟାଣ୍ଡରେ ଧରିଥିଲା । କୋର୍ଟରେ ଏକ ଜାଲ୍ ସାର୍ଟିଫିକେଟ ମାମଲାର କେସ ଡାଏରି ଦାଖଲ ଲାଗି ଆଇ.ଆଇ.ସି ରଂଜନ କୁମାର ସାହୁ ଏହି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି ।

କଟକରୁ ୬ ଜଣ ଡି.ଏସ.ପିଙ୍କ ନେତୃତ୍ୱରେ ୨୧ ଜଣିଆ ସ୍ୱତନ୍ତ୍ର ଟିମ ଗତକାଲି ରାତିରେ ମାଲକାନଗିରି ଥାନା ସହିତ ଆଇ.ଆଇ.ସିଙ୍କ ବାସଭବନ, ଦୁଇ ସବ୍- ଇନ୍ସପେକ୍ଟରଙ୍କ ବାସଭବନରେ ଚଢାଉ କରିଥିଲା । ଏଥିରେ ବହୁ ଗୁରୁତ୍ୱପୁର୍ଣ କାଗଜ ପତ୍ର ସମେତ ନଗଦ ଟଙ୍କା ସହ ଜମିଜମା କବଲା ଜବତ କରିଛି ଭିଜିଲାନ୍ସ ଟିମ୍ ।