ମହିଳାଙ୍କୁ ଅସଦାଚରଣ କରି ପାନେ ପାଇଲେ ଥାନା ବାବୁ : ଅପରାଧୀଙ୍କ ପତ୍ନୀଙ୍କୁ ରାତି ଅଧରେ କରୁଥିଲେ ଫୋନ

ଗାଁକୁ ଆସିଥିବା ବେଳେ ଘେରିଗଲେ ଲୋକ

323

କନକ ବ୍ୟୁରୋ : ନ୍ୟାୟ ଦେବା ଆଳରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ପ୍ରେମ ନିବେଦନ ସହ ଅସଦାଚରଣ କରିଲେ ଭଣ୍ଡାରିପୋଖରୀ ଥାନାର କର୍ତ୍ତବ୍ୟରତ ଜଣେ ହାବିଲଦାର । ଏନେଇ ଥାନାରେ ମହିଳା ଅଭିଯୋଗ କରିବା ପରେ ହାବିଲଦାରଙ୍କ ନାଁରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ପୋଲିସ ହାବିଲଦାରଙ୍କୁ ଥାନାରେ ଅଟକ ରଖି ଛାନଭିନ୍ କରୁଛି ପୋଲିସ ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଭଣ୍ଡାରିପୋଖରୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତାଙ୍କ ସ୍ୱାମୀଙ୍କ ନାଁରେ ୱାରେଂଟି ଆସିଲା । ୧୩ ତାରିଖ ରାତିରେ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଥିବା କହିଛନ୍ତି ମହିଳା । ପରେ ତାଙ୍କ ସ୍ୱାମୀଙ୍କୁ କୋର୍ଟ ଚାଲାଣ ପାଇଁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ହାବିଲଦାର ହରମୋହନ ନାୟକ । ମହିଳାଙ୍କ ସ୍ୱାମୀଙ୍କ ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା । ଏହି ସମୟରେ ମହିଳାଙ୍କ ସ୍ୱାମୀ ହାବିଲଦାରଙ୍କ ଫୋନରୁ ମହିଳାଙ୍କ ପାଖକୁ କଲ କରିଥିଲେ । ଏହା ପରେ ହାବିଲଦାର ଜଣଙ୍କ ସେହି ନମ୍ବରରେ ମହିଳାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିଲେ ।

ଶେଷରେ ଅସଦାଚରଣ ଉଦ୍ୟମ କରିବାକୁ ମହିଳାଙ୍କ ଘରେ ପହଂଚିଥିଲେ ଥାନା ବାବୁ । ମହିଳାଙ୍କ ଚିତ୍କାର କରିବା ଗାଁ ଲୋକ ଘଟଣାସ୍ଥଳରେ ପହଂଚି ହାବିଲଦାରଙ୍କୁ ଅଟକ ରଖିଥିଲେ । ମହିଳାଙ୍କ ଅଭିଯୋଗ ପରେ ଥାନାରେ ହାବିଲଦାରଙ୍କ ନାଁରେ ମାମଲା ରୁଜୁ ହୋଇଛି ।