ଭୁବନେଶ୍ୱର ଛାତ୍ର ମୃତ୍ୟୁକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ । ୩ଦିନ ଭିତରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

182

କନକ ବ୍ୟୁରୋ : ଭୁବନେଶ୍ୱରରେ ଡ୍ରେନରେ ଭାସି ଛାତ୍ରର ମୃତ୍ୟୁକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ । ୩ ଦିନ ଭିତରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ଏହା ସହ ବିଏମସି କମିଶନର, ମନ୍ତ୍ରୀ ପ୍ରତାପ ଜେନା ଓ ନଗର ଉନ୍ନୟନ ସଚିବଙ୍କ ବହିଷ୍କାର ଦାବି କରାଯାଇଛି । ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଛାତ୍ର କଂଗ୍ରେସ କହିଛି, ଭୁବନେଶ୍ୱରରେ ୨୦୧୫ରୁ ଡ୍ରେନ୍ ପାଣିରେ ଭାସି ୭ ଜଣଙ୍କ ଜୀବନ ଗଲାଣି । ହେଲେ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ନଗର ଉନ୍ନୟନ ସଚିବ ଭାବେ ଜି. ମାଥିଭାତନନ ୬ ବର୍ଷ ହେବ କାମ କରୁଛନ୍ତି । ସେ ଜନହିତକର କାମ କରୁଛନ୍ତି ବୋଲି ଏତେ ବର୍ଷ ହେବ ଅଛନ୍ତି ବୋଲି ବିଧାନସଭାରେ ଉତ୍ତର ଦେଉଛନ୍ତି ସରକାର । ଯଦି ଜନହିତକର କାମ କରୁଛନ୍ତି ତେବେ ଡ୍ରେନରେ ଭାସି ଲୋକଙ୍କ ଜୀବନ ଯାଉଛି କାହିଁକି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ଏହା ସହ ଘଟଣା ପାଇଁ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କରାଯାଇଛି । ୧୦ ବର୍ଷ ଧରି ମେୟର ପଦରେ ରହିଥିବା ଅନନ୍ତ ନାରାୟଣ ଜେନା କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।