ତେଲେଙ୍ଗାନା ଢ଼ାଞ୍ଚାରେ ଓଡିଶା କଂଗ୍ରେସ ଦେବ ୫ ଗ୍ୟାରେଣ୍ଟି । ଖୁବଶୀଘ୍ର ଓଡିଶା ଆସି ଘୋଷଣା କରିବେ ରାହୁଲ ଗାନ୍ଧୀ । ପ୍ରଚାର ପାଇଁ ପ୍ରସ୍ତୁତ ରଣନୀତି

161

କନକ ବ୍ୟୁରୋ: ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ଯେଉଁ ରଣନୀତି କରି କଂଗ୍ରେସ କ୍ଷମତାକୁ ଫେରିଛି, ସେହି ରଣନୀତି ସହ ଓଡିଶାରେ ଆଗକୁ ବଢ଼ୁଛି ରାଜ୍ୟ କଂଗ୍ରେସ । ପ୍ରଥମେ ଶାସନରେ ଥିବା ବିଜେଡି ଓ ବିଜେପି ମଧ୍ୟରେ ପ୍ରତୀକାତ୍ମକ ବାହାଘର କରିବା ପରେ ଏବେ ୫ ଗ୍ୟାରେଣ୍ଟି ଦେବାକୁ ଯୋଜନା କରୁଛି ଦଳ । ଏଥିସହ ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ, ଉଭୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଶେଷ ପ୍ରସ୍ତୁତି କରିଛି କଂଗ୍ରେସ ପ୍ରଚାର କମିଟି ।

  • ୨୦୨୪ ପାଇଁ କଂଗ୍ରେସର କ୍ୟାମ୍ପେନ୍ ପ୍ଲାନ
  • କଂଗ୍ରେସ ଦେବ ୫ ଗ୍ୟାରେଣ୍ଟି
  • ଘୋଷଣା କରିବେ ରାହୁଲ

ଓଡିଶା ଉପରେ ପୁଣି ଥରେ ଫୋକସ୍ କରୁଥିବା କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛନ୍ତି । ତେଲେଙ୍ଗାନା ଢ଼ାଞ୍ଚାରେ ନିର୍ବାଚନ ଜିତିବା ପାଇଁ ଓଡିଶାରେ ବି ୫ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେବ କଂଗ୍ରେସ । ଖୁବଶୀଘ୍ର ରାହୁଲ ଗାନ୍ଧୀ ଓଡିଶା ଆସି ଗ୍ୟାରେଣ୍ଟିର ଘୋଷଣା କରିବେ । ଏଥିସହ ତେଲେଙ୍ଗାନାରେ କଂଗ୍ରେସ ବିଜୟର ରଣନୀତିକାର କୁହାଯାଉଥିବା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି. ଶିବକୁମାରଙ୍କୁ ଓଡିଶା ଆଣି ପ୍ରଚାର କରିବାକୁ ଯୋଜନା କରିଛି ପିସିସି । ତେବେ ରାହୁଲ ଗାନ୍ଧୀ ଆସି ଗ୍ୟାରେଣ୍ଟି କଥା ଘୋଷଣା କରିବା ପୂର୍ବରୁ ରାଜ୍ୟ କଂଗ୍ରେସର ନିର୍ବାଚନ ରଣନୀତି କଣ ରହିବ, ସେ ନେଇ ପ୍ରଚାର କମିଟି ବୈଠକରେ ନିଆଯାଇଛି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କଣ କହି ଲୋକଙ୍କ ପାଖକୁ ଯିବେ ସେଥିପାଇଁ ପ୍ରସ୍ତୁତ ହୋଇଛି ଖସଡା ।

  • ୨୦୨୪ରେ କଂଗ୍ରେସର ସ୍ଲୋଗାନ ‘ଓଡିଶାରେ ଓଡିଆଙ୍କ ସରକାର’
  • ସଭାରେ ସଂକ୍ଷେପରେ କହିବେ ନେତା
  • ବିଜେଡି-ବିଜେପି ସମ୍ପର୍କର କଥା ପ୍ରଚାର କରିବେ ନେତା
  • ସରକାରଙ୍କ ବିଫଳତାକୁ ପୋଷ୍ଟର କରି ମରାଯିବ
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରଚାର ପତ୍ର କରି ବାଣ୍ଟିବ
  • ଜୋନ୍ ଆଧାରରେ ବଡ ବଡ ସଭା କରିବେ
  • କେନ୍ଦ୍ରରୁ ଆସିବେ ଷ୍ଟାର ପ୍ରଚାରକ

ଓଡିଶାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପରେ ବେଶ୍ ଉତ୍ସାହିତ ଅଛି କଂଗ୍ରେସ ଶିବିର । ଆଉ ପୁଣି ଥରେ ରାହୁଲ ଓଡିଶା ଆସିବା ପୂର୍ବରୁ ରାଜ୍ୟ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଦଳର ଛାମୁଆ ନେତା ।